ବେତନଟୀରେ ମାଲବାହୀ ଅଟୋ ଜବତ।
:-ଜିଏସ୍ଟି ଫାଙ୍କି ଗୁଟଖା ଚାଲାଣ
:- ୨ ଲକ୍ଷ ଟଙ୍କା ଜରିମାନା
ବେତନଟୀ : ଟିକସ ଫାଙ୍କି ବେଆଇନ ଭାବେ ଗୁଟଖା ଚାଲାଣ କରୁଥିବା ଏକ ମାଲବାହୀ ଅଟୋକୁ ବେତନଟୀ ଥାନା ପୁଲିସ ଜବତ କରିଛି। ପରବର୍ତ୍ତୀ ସମୟରେ ଜିଏସ୍ଟି ବିଭାଗ ପକ୍ଷରୁ ଯାଞ୍ଚ ପରେ ସମ୍ପୃକ୍ତ ଗାଡ଼ି ଉପରେ ୨ ଲକ୍ଷ ଟଙ୍କାର ମୋଟା ଅଙ୍କର ଜରିମାନା ଲଗାଯାଇ ତାହା ଆଦାୟ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଉକ୍ତ ମାଲବାହୀ ଅଟୋଟି ବିପୁଳ ପରିମାଣର ଗୁଟଖା ବୋଝେଇ କରି ବେତନଟୀ ବଜାର ଅଞ୍ଚଳକୁ ଆସୁଥିଲା। ତେବେ ଉପଯୁକ୍ତ କାଗଜପତ୍ର ଅଭାବ ଓ ଜିଏସ୍ଟି ଫାଙ୍କିବା ସନ୍ଦେହରେ ପୁଲିସ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ସହ ଜବତ କରିଥିଲା। ଘଟଣାର ଅଧିକ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଗାଡ଼ିଟିକୁ ବାଣିଜ୍ୟକର (ଜିଏସ୍ଟି) ବିଭାଗକୁ ହସ୍ତାନ୍ତର କରିଥିଲା।
ଜିଏସ୍ଟି ଅଧିକାରୀମାନେ କାଗଜପତ୍ର ଓ ସାମଗ୍ରୀର ମୂଲ୍ୟାଙ୍କନ କରିବା ପରେ ୨ ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ ଏବଂ ତାହା ସଫଳତାର ସହ ଆଦାୟ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏଭଳି ଟିକସ ଫାଙ୍କି ବେପାର ରୋକିବା ପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ନଜର ରଖାଯାଇଥିବା ଜଣାପଡ଼ିଛି।
