ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମନମୁଖୀ ହିତାଧିକାରୀ ଚୟନ
:- ବେତନଟୀ ବ୍ଲକ ସମ୍ମୁଖରେ ଅହୋରାତ୍ର ଗଣଧାରଣା,
:- ପ୍ରଶାସନ ଓ ରାଜନୈତିକ ଚାପକୁ ନେଇ ଉଦ୍ବେଗ
ବେତନଟୀ : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା, ଦୁର୍ନୀତି ଏବଂ ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କ ନାମ ତାଲିକାରୁ ବାଦ୍ ଦିଆଯିବା ପ୍ରତିବାଦରେ ଆଜି ବେତନଟୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଗ୍ରାମବାସୀ ଅହୋରାତ୍ର ଗଣଧାରଣାରେ ବସିଛନ୍ତି। ଗରିବ ଚାଳଘରିଆ ଲୋକଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ କରି ରାଜନୈତିକ ପ୍ରଭାବରେ ଅଯୋଗ୍ୟଙ୍କୁ ଘର ବଣ୍ଟନ କରାଯାଉଥିବା ନେଇ ସାଙ୍ଘାତିକ ଅଭିଯୋଗ ଉଠିଛି। ତୃଣମୂଳ ସ୍ତରରେ ଯୋଜନାର କାର୍ଯ୍ୟକାରିତାକୁ ନେଇ ଓଡ଼ିଶା ସରକାର, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବ୍ଲକ ଅଧିକାରୀଙ୍କ ଦାୟିତ୍ୱହୀନ ମନୋଭାବ ଏବେ ତୀବ୍ର ସମାଲୋଚନାର ପରିସରକୁ ଆସିଛି। ଧାରଣାକାରୀ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରକୃତ ଗରିବ ଲୋକ ଯେଉଁମାନେ ଚାଳ ଘରେ ଦହଗଞ୍ଜ ହୋଇ ରହୁଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୋଟିଏ ଲେଖାଏଁ ପକ୍କାଘର ଯୋଗାଇ ଦିଆଯିବାର ନିୟମ ରହିଛି। ମାତ୍ର କାଳମା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦରାୟପୁର ଗ୍ରାମରେ ଏହାର ସମ୍ପୂର୍ଣ୍ଣ ଓଲଟା ଚିତ୍ର ଦେଖିବାକୁ ମିଳିଛି। ଉକ୍ତ ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା ପିଇଓ (ପଞ୍ଚାୟତ ନିର୍ବାହୀ ଅଧିକାରୀ)ଙ୍କ ଅବହେଳା ଓ ପକ୍ଷପାତିତା ଯୋଗୁଁ ଗୋବିନ୍ଦରାୟପୁର ଗ୍ରାମରେ ପୂର୍ବରୁ ଯେଉଁ ପ୍ରକୃତ ହିତାଧିକାରୀମାନଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଥିଲା, ନୂତନ ତାଲିକାରୁ ରହସ୍ୟଜନକ ଭାବେ ସେମାନଙ୍କ ନାମ କାଟି ଦିଆଯାଇଛି। ବିଡ଼ମ୍ବନାର ବିଷୟ ହେଉଛି, ଯେଉଁ ଲୋକମାନଙ୍କର ପୂର୍ବରୁ ପକ୍କା ଘର ରହିଛି ଏବଂ ନିୟମ ଅନୁସାରେ ଏହି ଯୋଜନାରେ ଘର ପାଇବାକୁ ସମ୍ପୂର୍ଣ୍ଣ ଅଯୋଗ୍ୟ, ସେମାନେ କେବଳ ଶାସକ ଦଳର ସମର୍ଥକ ହୋଇଥିବାରୁ ସେମାନଙ୍କ ନାମ ନୂତନ ଭାବେ ତାଲିକାଭୁକ୍ତ କରାଯାଇଛି। ଏହି ଚଞ୍ଚକତା ବିରୋଧରେ ପଞ୍ଚାୟତବାସୀ ପ୍ରଥମେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲ୍ଲାପାଳ ସମସ୍ତ ଘଟଣା ଶୁଣିବା ପରେ ବେତନଟୀ ବିଡିଓଙ୍କୁ ଫୋନ ଯୋଗେ ନିର୍ଦ୍ଦେଶ ଦେଇଥିଲେ ଏବଂ ସମସ୍ୟାର ତୁରନ୍ତ ସମାଧାନ ହେବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବହୁ ଦିନ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଗଲା ନାହିଁ। ପରବର୍ତ୍ତୀ ସମୟରେ ଗୋବିନ୍ଦରାୟପୁରବାସୀ ବେତନଟୀ ବିଡିଓଙ୍କୁ ପଚାରି ବୁଝିବାରୁ ସେ ନିଜର ଅସହାୟତା ପ୍ରକାଶ କରିବା ସହ କହିଥିଲେ ଯେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନିକଟରୁ ଚାପ ଆସୁଥିବାରୁ ସେ କିଛି କରିପାରିବେ ନାହିଁ। ଜଣେ ଦାୟିତ୍ୱବାନ ପ୍ରଶାସନିକ ଅଧିକାରୀ ରାଜନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇ ଗରିବ ହିତାଧିକାରୀଙ୍କୁ ନ୍ୟାୟ ଦେବାରେ ବିଫଳ ହେବା ପ୍ରଶାସନିକ ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇଛି। ଏହି ସମ୍ପୂର୍ଣ୍ଣ ମନମୁଖୀ କାର୍ଯ୍ୟକଳାପ ଓ ଦୁର୍ନୀତି ବିରୋଧରେ କ୍ଷୋଭ ପ୍ରକାଶ କରି ଗୋବିନ୍ଦରାୟପୁର ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ବେତନଟୀ ବ୍ଲକ ସମ୍ମୁଖରେ ଅହୋରାତ୍ର ଗଣଧାରଣା ଦେଇଛନ୍ତି। ଯେପର୍ଯ୍ୟନ୍ତ ନୂତନ ତାଲିକାରୁ ଶାସକ ଦଳର ଅଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ୍ ନପଡ଼ିଛି ଏବଂ ପ୍ରକୃତ ଗରିବ ପରିବାରଙ୍କୁ ସେମାନଙ୍କ ଅଧିକାର ଫେରାଇ ଦିଆଯାଇ ନାହିଁ, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସରକାରୀ ଯୋଜନାରେ ରାଜନୈତିକ ହସ୍ତକ୍ଷେପ ଏବଂ ପ୍ରଶାସନିକ ନିଷ୍କ୍ରିୟତା ଗ୍ରାମୀଣ ବିକାଶର ମୂଳ ଲକ୍ଷ୍ୟକୁ ଧୂଳିସାତ୍ କରୁଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ହସ୍ତକ୍ଷେପ କରିବାକୁ ଗଣଧାରଣା ଦେଉଥିବା ଗ୍ରାମବାସି ଦାବି କରିଛନ୍ତି।
