ସେବା ସଂକଳ୍ପ ସେତୁ ଅଭିଯାନରେ ବୌଦ୍ଧ ଜିଲ୍ଲାରେ ଜିଲ୍ଲାପାଳଙ୍କ ଦ୍ୱାରା ଫ୍ରି ହେଲମେଟ ବଣ୍ଟନ, ହେଲମେଟ ପିନ୍ଧିଥିବା ଚାଳକଙ୍କୁ ଗୋଲାପ ଫୁଲରେ ସମ୍ବର୍ଦ୍ଧନା l
ବୌଦ୍ଧ, ତା. ୧୨/୧୦ ସେବା ସଂକଳ୍ପ ସେତୁ ଅଭିଯାନ ଅବସରରେ ବୌଦ୍ଧ ଜିଲ୍ଲାର ପୁରୁଣା କଟକଠାରେ ସଡ଼କ ସୁରକ୍ଷା ଓ ହେଲମେଟ ବ୍ୟବହାର ସମ୍ପର୍କରେ ଏକ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜନଶୁଣାଣି କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ଓ ଆଞ୍ଚଳିକ ପରିବହନ ଅଧିକାରୀ ସୁଶମା ସାହୁଙ୍କ ଉପସ୍ଥିତିରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏଥିରେ ପୋଲିସ ଓ ପରିବହନ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।
କାର୍ଯ୍ୟକ୍ରମରେ ହେଲମେଟ ପିନ୍ଧି ନଥିବା ମୋଟରସାଇକେଲ ଚାଳକମାନଙ୍କୁ ମାଗଣାରେ ନୂତନ ହେଲମେଟ ବଣ୍ଟନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ନାୟକ ସମସ୍ତ ଦୁଇଚକିଆ ଯାନ ଚାଳକଙ୍କୁ ହେଲମେଟ ପିନ୍ଧି ଯାତ୍ରା କରିବା ସହ ନିଜର ଏବଂ ନିଜ ପରିବାରର ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦେଇଥିଲେ।
ଅନ୍ୟପକ୍ଷରେ, ହେଲମେଟ ପିନ୍ଧି ମୋଟରସାଇକେଲ ଚଳାଉଥିବା ସଚେତନ ଚାଳକମାନଙ୍କୁ ଗୋଲାପ ଫୁଲ ପ୍ରଦାନ କରି ସ୍ୱାଗତ ଓ ଉତ୍ସାହିତ କରାଯାଇଥିଲା। ଏହା ମାଧ୍ୟମରେ ସଡ଼କ ସୁରକ୍ଷା ନିୟମ ପାଳନ କରୁଥିବା ନାଗରିକମାନଙ୍କୁ ପ୍ରୋତ୍ସାହିତ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାର ବାର୍ତ୍ତା ଦିଆଯାଇଥିଲା।
ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଏହି ଅଭିନବ ଜନ ସଚେତନତା କାର୍ଯ୍ୟକ୍ରମରେ ହେଲମେଟ ବ୍ୟବହାରର ଗୁରୁତ୍ୱ, ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ସତର୍କତା ଏବଂ ଟ୍ରାଫିକ୍ ନିୟମ ପାଳନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅଭିଯାନ ସଡ଼କ ସୁରକ୍ଷା ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ସହ ସୁରକ୍ଷିତ ଯାତାୟାତ ପାଇଁ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଥିଲା।
