*ବାରିପଦା: ସାମ୍ବାଦିକମାନଙ୍କ ସ୍ୱାଭିମାନ, ସ୍ୱାର୍ଥ ଓ ସୁରକ୍ଷା ଦାବି ନେଇ ଆଜି ବାରିପଦାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଶାନ୍ତିପୂର୍ଣ୍ଣ ଗଣଧାରଣା ଆରମ୍ଭ ହୋଇଛି। ମୟୂରଭଞ୍ଜ ଜିଲ୍ଲା ସାମ୍ବାଦିକ ମିଳିତ ମହାମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜିଲ୍ଲାର ୪ଟି ଉପଖଣ୍ଡ ଓ ୨୬ଟି ବ୍ଲକରୁ ଶତାଧିକ ସାମ୍ବାଦିକ ଯୋଗଦେଇ ପ୍ରଶାସନ ବିରୋଧରେ ବିଷୋଦଗାର କରିଥିଲେ ।
ମିଳିତ ମହାମଞ୍ଚରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ, ଉତ୍କଳ ସାମ୍ବାଦିକ ସଂଘ, କଳିଙ୍ଗ ପେସାଦାର ସାମ୍ବାଦିକ ସଂଘ, ମୟୂରଭଞ୍ଜ ଜିଲ୍ଲା କାର୍ଯ୍ୟରତ ସାମ୍ବାଦିକ ପରିବାର ଓ ଓଡିଶା ଡିଜିଟାଲ ମିଡିଆ ମହାସଂଘ ସାମିଲ ହୋଇଥିଲେ । ଆରମ୍ଭ ହୋଇଥିବା ଏହି ଗଣଧାରଣାରେ ବିଭିନ୍ନ ସ୍ଲୋଗାନ, ପ୍ଲାକାର୍ଡ ଧରି ସାମ୍ବାଦିକମାନେ ନିଜ ଯୋଗ୍ୟତା ଓ ସମ୍ମାନ ପାଇଁ ଏକ ହୋଇ ନାରାବାଜି କରିଛନ୍ତି।
*ଜିଲ୍ଲାପାଳଙ୍କୁ ଦିଆଯାଇଥିବା ୪ ଦଫା ଦାବିପତ୍ରରେ ଉଲ୍ଲେଖ ରହିଛି ଯେ -*
*୧. ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ:* ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ, ଧମକ, ମିଥ୍ୟା ମାମଲାକୁ ତୁରନ୍ତ ରୋକିବା ଓ ସାମ୍ବାଦିକ ସୁରକ୍ଷା ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା।
*୨. ପ୍ରେସ କ୍ଲବ ପ୍ରତିଷ୍ଠା:* ବାରିପଦା ସଦର ମହକୁମାରେ ସାମ୍ବାଦିକମାନଙ୍କ ପାଇଁ ସ୍ଥାୟୀ ପ୍ରେସ କ୍ଲବ, ବସିବା ବ୍ୟବସ୍ଥା, ଇଣ୍ଟରନେଟ୍ ଓ ପାନୀୟ ଜଳ ବ୍ୟବସ୍ଥା ଯୋଗାଇ ଦେବା।
*୩. ସରକାରୀ ସ୍ୱୀକୃତି ଓ ସମ୍ମାନ:* ଜିଲ୍ଲା ସ୍ତରୀୟ ସମସ୍ତ ସରକାରୀ ବୈଠକ, ପ୍ରେସମିଟ୍ ଓ କାର୍ଯ୍ୟକ୍ରମରେ ସମସ୍ତ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଆମନ୍ତ୍ରଣ କରିବା ଏବଂ ସରକାରୀ ବିଜ୍ଞାପନରେ ସ୍ଥାନୀୟ ଖବରକାଗଜ ଓ ଡିଜିଟାଲ ମିଡିଆକୁ ପ୍ରାଧାନ୍ୟ ଦେବା।
*୪. କଲ୍ୟାଣକାରୀ ଯୋଜନା:* ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା, ଆବାସ ଯୋଜନା ଓ ପେନସନ ବ୍ୟବସ୍ଥା ଲାଗୁ କରିବା।
ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଦାବି ଗୁଡିକ ବିଚାର କରି ଖୁବଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମୟୂରଭଞ୍ଜରୁ ଶୁଭାଶିଷ ଚ଼ୌଧୂରୀଙ୍କ ସହ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ
