ପାନୀୟ ଜଳ ଯୋଗାଣ ବିଭାଗ ପରିଦର୍ଶନ କଲେ ବିଧାୟକ ରୂପେଶ ପାଣିଗ୍ରାହୀ
ନୂଆ ପାଣି ଟାଙ୍କି ସମେତ ବିଭାଗର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସ୍ଥିତି ଓ ଚାଲୁଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ପାନୀୟ ଜଳ ଯୋଗାଣ ବିଭାଗ ପରିଦର୍ଶନ କରିଛନ୍ତି।
ସହର ମାର୍କେଟ ନିକଟରେ ଥିବା ପାନୀୟ ଜଳ ଯୋଗାଣ ବିଭାଗର ବିଭିନ୍ନ ପ୍ରକଳ୍ପକୁ ବିଧାୟକ ଶ୍ରୀ ପାଣିଗ୍ରାହୀ ବୁଲି ଦେଖିବା ସହ ନୂତନ ଭାବେ ନିର୍ମିତ ପାଣି ଟାଙ୍କିର ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ଅବସରରେ ପାଣି ସଂରକ୍ଷଣ, ବିଶୋଧନ ଓ ସହରବାସୀଙ୍କୁ ନିୟମିତ ଭାବେ ପାନୀୟ ଜଳ ଯୋଗାଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ନେଇଥିଲେ।
ପାରଳାଖେମୁଣ୍ଡି ସହରରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ନିରବଚ୍ଛିନ୍ନ ଓ ସୁବ୍ୟବସ୍ଥିତ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜଳ ଟାଙ୍କି ଓ ଅନ୍ୟାନ୍ୟ ପ୍ରକଳ୍ପର ରକ୍ଷଣାବେକ୍ଷଣ ସହ ଆଗାମୀ ଦିନରେ ଜଳ ଯୋଗାଣ ସମ୍ପର୍କିତ ସମସ୍ୟା ଯେପରି ନ ହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଏହି ପରିଦର୍ଶନ ସମୟରେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୁ, ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀଙ୍କ ସମେତ ବିଭାଗୀୟ କର୍ମଚାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ସହରବାସୀଙ୍କୁ ସୁରକ୍ଷିତ ଓ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ପାଇଁ ଚାଲୁଥିବା ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଓ ନିୟମିତ ତଦାରଖ ଉପରେ ଏହି ପରିଦର୍ଶନରେ ଗୁରୁତ୍ୱ ଦିଆଯାଇଥିଲା।
