*ଜିଲ୍ଲା ସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ ଉତ୍ସବ ଅନୁଷ୍ଠିତ ।* ଢ଼େଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର ) ଅଦ୍ୟ ତା.୦୩.୯.୨୦୨୬ ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ଲକ୍ଷ୍ୟ ନେଇ ଗତ ସେପ୍ଟେମ୍ବର ୯ ରୁ ଜିଲ୍ଲା ସ୍ତରୀୟ ୯ ମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଅଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ହଲ୍ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ ଯୋଗ ଦେଇ, ଶିଶୁ ଓ ମହିଳାଙ୍କ ଶରୀର ସୁସ୍ଥ ଓ ନିରାମୟ ରହିଲେ, ସମାଜର ସାମଗ୍ରିକ ବିକାଶ ତ୍ବରାନ୍ବିତ ହୋଇ ପାରିବ ବୋଲି କହିଥିଲେ । ନିୟମିତ ଭାବେ ଶିଶୁର ଓଜନ ପରୀକ୍ଷା କରିବା ସହିତ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦେଇ ଅଙ୍ଗନୱାଡ଼ି କେନ୍ଦ୍ରର ରକ୍ଷଣା ବେକ୍ଷଣ ପ୍ରତି ସଜାଗ ରହିବା ଉଚିତ ବୋଲି ସେ କହିଥିଲେ । କର୍ତ୍ତବ୍ୟନିଷ୍ଠ ହୋଇ କାର୍ଯ୍ୟ ନିର୍ବାହ କଲେ ସୁସ୍ଥ ସମାଜ ଗଠନ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ନବଜାତ ଶିଶୁର ଆବଶ୍ୟକ ଯତ୍ନ ନେବା ସହିତ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ୬ ମାସ ପର୍ଯ୍ୟନ୍ତ କେବଳ ମା’ ଖିର ପିଆଇବା ପରେ ପୋଷକ ତତ୍ତ୍ଵ ପୂର୍ଣ୍ଣ ବିଭିନ୍ନ ପ୍ରକାରର ସନ୍ତୁଳିତ ଖାଦ୍ୟ ଖୁଆଇବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ନୀଳମଣି ଦିଲ୍ଲିପ ଚାନ୍ଦ ବେହେରା କହିଥିଲେ । ଜିଲ୍ଲାରେ ଶିଶୁ କନ୍ୟା ହାର ବୃଦ୍ଧି ନିମନ୍ତେ, ଯେ କୌଣସି ବ୍ୟକ୍ତି ଲିଙ୍ଗ ନିରୁପଣ ହେଉଥିବା ସଂପର୍କରେ ସୂଚ଼ନା ପ୍ରଦାନ କଲେ, ତାଙ୍କର ପରିଚୟ ସଂପୂର୍ଣ୍ଣ ଗୋପନ ରଖାଯିବ ଓ ଖବରଦାତାଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ରୁକ୍ମୁଣି ସାହୁ ପ୍ରାରମ୍ଭିକ ଭାଷଣ ଦେଇ , ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟରେ ପୋଷଣ ମାସ ପାଳନ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଏଥି ପାଇଁ ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇ ବାଲ୍ଯ ବିବାହ ରୋକିବା, ଶିଶୁ ଏବଂ ମହିଳାଙ୍କ ବିକାଶ ଓ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସେ ପ୍ରକାଶ କରିଥିଲେ । ଏହି ପୋଷଣ ମାସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସ୍ୱାଦିଷ୍ଟ ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନୀକୁ ବୁଲିଦେଖି ଅତିଥିମାନେ ପ୍ରଶଂସା କରିଥିଲେ । ଏହି ଅବସରରେ ସମସ୍ତେ ଶିଶୁ ଓ ମହିଳାଙ୍କ ଯତ୍ନ ଓ ସୁରକ୍ଷା ସଂପର୍କୀତ ଏକ ଶପଥ ପାଠ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଅନୁରାଧା ଗୋସ୍ୱାମୀ, ବିଦ୍ୟୁତ୍ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅନନ୍ତ ଦେହୁରୀ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସରୋଜିନୀ କର, ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ସି.ଡ଼ି.ପି.ଓ., ସୁପର ଭାଇଜର୍, ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲେ । ସିନିୟର ଆସିଷ୍ଟାଣ୍ଟ ଶ୍ରୀମତୀ ଦେବଦର୍ଶିନୀ ସ୍ୱାଇଁ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
