*ନୂଆପଡ଼ା ଯୁଗ୍ମ ଜନଶୁଣାଣି: ୯୦.୮୬% ଅଭିଯୋଗର ଫଳପ୍ରଦ ସମାଧାନ, ବଣ୍ଟାଗଲା ୧.୭୫ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୧/୧୦:
ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ସମୟୋଚିତ ସମାଧାନ ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାରେ ପ୍ରତି ସୋମବାର ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହେଉଛି। ଏହି ଶିବିର ମାଧ୍ୟମରେ ଗ୍ରହଣ କରାଯାଉଥିବା ଅଭିଯୋଗର ସମାଧାନ କ୍ଷେତ୍ରରେ ଜିଲ୍ଲାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି।
ତଥ୍ୟ ଅନୁଯାୟୀ, ୧୨ ଅଗଷ୍ଟ ୨୦୨୪ରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଅଭିଯୋଗ ଶୁଣାଣିରେ ମୋଟ ୮,୧୦୮ଟି ଅଭିଯୋଗ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ୭,୩୬୭ଟି ଅଭିଯୋଗର ସମାଧାନ କରାଯାଇଛି, ଯାହା ମୋଟ ଅଭିଯୋଗର ୯୦.୮୬ ପ୍ରତିଶତ। ବର୍ତ୍ତମାନ ୭୪୧ଟି ଅଭିଯୋଗ ବିଭିନ୍ନ ବିଭାଗ ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟାଳୟରେ ବିଚାରାଧୀନ ରହିଛି।
ପ୍ରତି ସୋମବାର ଅନୁଷ୍ଠିତ ଯୁଗ୍ମ ଜନଶୁଣାଣି ଶିବିର ଆରମ୍ଭରେ ଜିଲ୍ଲାପାଳ ବିଭାଗୱାରୀ ବିଚାରାଧୀନ ଅଭିଯୋଗଗୁଡ଼ିକର ସ୍ଥିତି ସମୀକ୍ଷା କରନ୍ତି। ନିଷ୍ପତ୍ତି ହୋଇନଥିବା ଅଭିଯୋଗଗୁଡ଼ିକୁ ପ୍ରାଥମିକତା ଦେଇ ଶୀଘ୍ର ସମାଧାନ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି।
କେତେକ ଅଭିଯୋଗର ସମାଧାନ ପାଇଁ କ୍ଷେତ୍ରସ୍ତରୀୟ ଯାଞ୍ଚ, ସମ୍ପୃକ୍ତ କାର୍ଯ୍ୟାଳୟରୁ ରିପୋର୍ଟ ସଂଗ୍ରହ ଏବଂ ଏକାଧିକ ବିଭାଗ ମଧ୍ୟରେ ସମନ୍ୱୟର ଆବଶ୍ୟକତା ରହୁଛି। ଏଭଳି ଅଭିଯୋଗଗୁଡ଼ିକର ମଧ୍ୟ ନିୟମିତ ଅନୁଧ୍ୟାନ କରାଯାଇ ଆବଶ୍ୟକ ତଥ୍ୟ ଓ ରିପୋର୍ଟ ସଂଗ୍ରହ ପରେ ନିଷ୍ପତ୍ତି ପାଇଁ ପଦକ୍ଷେପ ନିଆଯାଉଛି।
ଯୁଗ୍ମ ଜନଶୁଣାଣି ଶିବିରରେ ଯୋଗ୍ୟ ବ୍ୟକ୍ତିଙ୍କୁ ତତ୍କାଳୀନ ସହାୟତା ପ୍ରଦାନ ଉପରେ ମଧ୍ୟ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଉଛି। ଆବଶ୍ୟକତା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (CMRF) ଓ ରେଡ୍କ୍ରସ୍ ପାଣ୍ଠିରୁ ଯୋଗ୍ୟ ହିତାଧିକାରୀଙ୍କୁ ଚେକ୍ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।
ଗତ ଦୁଇ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି (CMRF)ରୁ ୧୫୮ ଜଣ ହିତାଧିକାରୀଙ୍କୁ ମୋଟ ୧ କୋଟି ୪୮ ଲକ୍ଷ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେହିପରି, ରେଡ୍କ୍ରସ୍ ପାଣ୍ଠିରୁ ୩୨୪ ଜଣ ହିତାଧିକାରୀଙ୍କୁ ମୋଟ ୨୬ ଲକ୍ଷ ୫୬ ହଜାର ୬୯୬ ଟଙ୍କାର ସହାୟତା ଦିଆଯାଇଛି। ଏହି ଆର୍ଥିକ ସହାୟତା ମୁଖ୍ୟତଃ ଚିକିତ୍ସା ଓ ଜୀବିକା ସହାୟତା ପାଇଁ ପ୍ରଦାନ କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ CMRFରୁ ସହାୟତା ପ୍ରଦାନ ଜାରି ରଖିବା ପାଇଁ ଆଗାମୀ ଦିନରେ ଅତିରିକ୍ତ ୪୦ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି।
ଯୁଗ୍ମ ଜନଶୁଣାଣି ଶିବିର ମାଧ୍ୟମରେ ଜନସାଧାରଣ ନିଜର ସମସ୍ୟା ଓ ଅଭିଯୋଗ ଜିଲ୍ଲା ପ୍ରଶାସନ ସମ୍ମୁଖରେ ସିଧାସଳଖ ଉପସ୍ଥାପନ କରିପାରୁଛନ୍ତି। ଅଭିଯୋଗଗୁଡ଼ିକର ଉପଯୁକ୍ତ ଓ ସମୟୋଚିତ ନିଷ୍ପତ୍ତି ସୁନିଶ୍ଚିତ କରିବା ଦିଗରେ ଏହି ବ୍ୟବସ୍ଥା ନିରନ୍ତର କାର୍ଯ୍ୟ କରୁଛି।
