ବୌଦ୍ଧ (କୃଷ୍ଣଚନ୍ଦ୍ର ସିଂହ) : ଓଡିଶା ଫୁଟବଲ ଆସୋସିଏସନ ଦ୍ୱାରା ଆୟୋଜିତ ୬୪ତମ ଆନ୍ତଃଜିଲ୍ଲା ସାହାଣି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଛି l ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଜିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ, ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ l ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ସାହାଣି କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୯ଟି ଜିଲ୍ଲାରୁ ଟିମ୍ ଅଂଶଗ୍ରହଣ କରୁଛନ୍ତି l ଅଂଶଗ୍ରହଣ କରୁଥିବା ଦଳଗୁଡିକ ହେଲା ବରଗଡ, କଳାହାଣ୍ଡି, ଦେବଗଡ, ନୟାଗଡ, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କନ୍ଧମାଳ ଓ ସମ୍ବଲପୁର l କ୍ୱାଟର ଫାଇନାଲ ମ୍ୟାଚ ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ହେବ l ବୈଠକରେ ସାହାଣି କପ୍ର ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ ସାହାଣି କପ୍ ଉପରେ ଏକ ବିଶଦ ବିବରଣୀ ରଖିଥିଲେ l ଖେଳପଡିଆ ପ୍ରସ୍ତୁତି, ଖେଳାଳୀ ଓ ଅଫିସିଆଲଙ୍କ ପାଇଁ ସମସ୍ତ ଆନୁଷାଙ୍ଗିକ ବ୍ୟବସ୍ଥା, ପ୍ରଚାର ପ୍ରସାର, ଶାନ୍ତି ଶୃଙ୍ଖଳା ଏବଂ ସୁରକ୍ଷା ବ୍ୟବସ୍ଥା, ତତ୍କାଳ ଚିକିତ୍ସା ବ୍ୟବସ୍ଥା ଏବଂ ୨ଟି ମେଡିକାଲ ଟିମ ଡାକ୍ତରଙ୍କ ସହ ଷ୍ଟାଫ ମୁତୟନ, ଆମ୍ବୁଲାନ୍ସ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ପାନୀୟ ଜଳ, ଅସ୍ଥାୟୀ ପରିସ୍ରାଗାର, ପଡିଆ ସଫେଇ, ରାସ୍ତା ଘାଟ ସଫେଇ, ପଡିଆର ଅନାବନା ଘାସ ସଫା, ସହରର ବିଭିନ୍ନ ସ୍ଥାନରେ ବ୍ଲିଚିଙ୍ଗ ପାଉଡର ପକାଯିବବା, ରାସ୍ତାରେ ବୁଲା ଗାଈ ଗୋରୁଙ୍କୁ ବାହାର କରାଯିବା ପାଇଁ ବ୍ୟାପକ ପ୍ରଚାର, ଅତିଥି ନିମନ୍ତ୍ରଣ, ପ୍ରତିଯୋଗୀଙ୍କ ପାଇଁ ରହିବା, ଖାଇବା ଉପରେ ବିଶଦ ଆଲୋଚନା କରାଯାଇଥିଲା l କାର୍ଯ୍ୟକାରୀ ସଭାପତି ଦିବ୍ୟରଞ୍ଜନ ପଟ୍ଟନାୟକ, ଯୁଗ୍ମ ସଂପାଦକ ଲମ୍ବୋଦର ପୁରୋହିତ, କୋଷାଧ୍ୟକ୍ଷ ସୁଶୀଳ ପରିଡା, ବରିଷ୍ଠ ସନ୍ତୋଷ ଟ୍ରଫି ଖେଳାଳୀ ସତ୍ୟପ୍ରକାଶ ଦାଶ, ସଦସ୍ୟ ଅଶୋକ କୁମାର ଅଗ୍ରୱାଲା, ନିରଞ୍ଜନ ମେହେର, ଅମ୍ବରୀଶ ପ୍ରଧାନ, ନିରୋଦ କୁମାର ମେହେର, ମନୋଜ କୁମାର ପ୍ରଧାନ, ବନ୍ଦିତା ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ସୁଦାମ କୁମାର ସ୍ୱାଇଁ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞପନ କରିଥିଲେ l
