ସୋର ସବ-ଜେଲ୍ ୱାର୍ଡେନ୍ଙ୍କୁ ମାରାତ୍ମକ ଆକ୍ରମଣ ଘଟଣା: ୫ ଅଭିଯୁକ୍ତ ଗିରଫ, ଭୁଜାଲି ଓ ମୋବାଇଲ ଜବତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ପୋଲିସ ର ବଡ ସଫଳତା କୁ ନେଇ ସୋର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପରେଶ ରାଉତ, ସୋର ଥାନା ଅଧିକାରୀ ଅନୁରାଗ ମହାନ୍ତି, ଏସ ଆଇ ପ୍ରିତିଜିତି ମହାନ୍ତି ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଗତ ଅଗଷ୍ଟ ୨୬ ତାରିଖ ଅପରାହ୍ନ ପ୍ରାୟ ୨:୨୦ ସମୟରେ ସୋର ସବ୍ ଜେଲ୍ ୱଡେନ ସୁରେନ୍ଦ୍ର ସାମଲ ବାଇକ୍ ଯୋଗେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ବାଲିବାଡ଼ ମାଣିତ୍ରି ରାସ୍ତାରେ ତିନି ଜଣ ମୁଖାପିନ୍ଧା ଅଜଣା ଅପରାଧୀ ଏକ ମୋଟର ସାଇକେଲରେ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ହତ୍ୟା ଉଦ୍ଦେଶ୍ୟରେ ତାଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଭୁଜାଲିରେ ଆକ୍ରମଣ କରିଥିଲେ। ସେ ପ୍ରାଣରକ୍ଷା ପାଇଁ ହାତ ଆଗକୁ ବଢ଼ାଇବାରୁ ତାଙ୍କ ବାମ ପାପୁଲି ଏବଂ ଡାହାଣ ଗୋଡ଼ରେ ଗଭୀର ରକ୍ତାକ୍ତ ଆଘାତ ଲାଗିଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକେ ଦୌଡ଼ିଆସିବାରୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଏହି ମାମଲାରେ ସୂଚନାଦାତା ତଥା ଆହତଙ୍କ ପତ୍ନୀ କମଳା ସାମଲଙ୍କ ଅଭିଯୋଗକୁ ଭିତ୍ତିକରି ସୋରୋ ପୋଲିସ ପକ୍ଷରୁ ବିଏନ୍ଏସ୍ (BNS) ଆଇନର ବିଭିନ୍ନଧାରା ଅଧୀନରେ କେସ୍ ନମ୍ବର ୬୪୨/୨୬ ରୁଜୁ କରାଯାଇଥିଲା। ପୋଲିସ ତଦନ୍ତ କରି ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତେଲେଙ୍ଗା କଟୁରୀ ଏବଂ ୫ ଗୋଟି ମୋବାଇଲ୍ ଫୋନ୍ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କ ଘର ବାଲେଶ୍ଵର ର ସଦର ଥାନା ଏବଂ ଟାଉନ୍ ଥାନା ଅଧୀନରେ ବୋଲି ଜଣା ପଡିଛି। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଯଥା ଶୀଘ୍ର ଧରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପରେଶ ରାଉତ ସୂଚନା ଦେଇଛନ୍ତି।
