କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଯାଜପୁର ଜିଲ୍ଲାରେ ସିଏମ କିଷାନ ସହାୟତା ରାଶି ର ରବି କିସ୍ତି ପ୍ରଦାନ ।
ରିପୋର୍ଟ _ ନିରୋଜ କୁମାର ସେଠୀ
ଯାଜପୁର, ୦୪/୦୮/୨୦୨୬- କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଓୟୁଏଟି ଭୁବନେଶ୍ବର ସ୍ଥିତ କୃଷି ଶିକ୍ଷା ସଦନ ଠାରେ ଆୟୋଜିତ ‘ସି.ଏମ୍-କିଷାନ୍’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୪୧ ଲକ୍ଷରୁ ଅଧିକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ବାବଦରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି (DBT) ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରିଛନ୍ତି। ଏହି ଅର୍ଥ ଆଗାମୀ ରବି ଫସଲ ପାଇଁ ଅତ୍ୟାବଶ୍ୟକ କୃଷି ସାମଗ୍ରୀ କ୍ରୟ କରିବାରେ ବିଶେଷ ସହାୟକ ହେବ।
‘ସମୃଦ୍ଧ କୃଷକ ଯୋଜନା’ରେ ଧାନର କ୍ୱିଣ୍ଟାଲ ପିଛା ଉଚିତ୍ ମୂଲ୍ୟ ପ୍ରଦାନ, ଆନୁଷଙ୍ଗିକ କୃଷିକୁ ପ୍ରୋତ୍ସାହନ ଏବଂ ‘କୃଷି ବିଦ୍ୟାନିଧି’ ମାଧ୍ୟମରେ ଚାଷୀ ପରିବାରର ସନ୍ତାନମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ପ୍ରଦାନ କରି ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ୍ କରିବ ।
ଏହି ଅବସରରେ ଯାଜପୁର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟ ରେ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁର ଠାରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ସମବାୟ, ବୟନଶିଳ୍ପ, ହସ୍ତତନ୍ତ, ଓଡ଼ିଶା ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଏବଂ ମାନ୍ୟବର ସାଂସଦ, ଲୋକସଭା, ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସରୋଜ କୁମାର ଗିରି ସ୍ବାଗତ ଭାଷଣ ପ୍ରଦାନ ପୂର୍ବକ ସି.ଏମ୍-କିଷାନ୍ ଯୋଜନାର ଆଭିମୁଖ୍ୟ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ପ୍ୟାକେଜ, ଇନ ପୁଟ ସବସିଡି ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ।
ସରକାରଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ଯୋଜନା ମଧ୍ୟରୁ କୃଷି ଭାଇ ଓ ଭଉଣୀମାନଙ୍କ ପାଇଁ ସି. ଏମ କିଷାନ୍ ଏକ ଯୋଜନା ଯାହା ମାଧ୍ୟମରେ ଚାଷୀ ଭାଇ ମାନଙ୍କୁ ଚାଷ କାର୍ଯ୍ୟ ଆଗେଇ ନେବା ନିମନ୍ତେ ବର୍ଷକୁ ଦୁଇ ଥର ଯଥା: ଖରିଫ ଫସଲ ଓ ରବି ଫସଲ ନିମନ୍ତେ ବାର୍ଷିକ ଦୁଇଥର ୨୦୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଉଛି। ଚାଷୀ ଭାଇମାନେ ଏହି ସହାୟତା ରାଶିକୁ ପ୍ରକୃତ ଉଦ୍ଦେଶ୍ୟରେ ବିନିଯୋଗ କରି ଉପକୃତ ହୋଇପାରିଲେ ସରକାରଙ୍କର ଏହି ଯୁଗାନ୍ତକାରୀ ପଦକ୍ଷେପର ସଫଳ ରୂପାୟନ ହୋଇପାରିବ ବୋଲି ମାନ୍ୟବର ସାଂସଦ, ଲୋକସଭା, ଯାଜପୁର ଉପସ୍ଥିତ ସମସ୍ତ କୃଷକ ଭାଇ ଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ।
ମାନ୍ୟବର ମନ୍ତ୍ରୀ ସମସ୍ତ ଚାଷୀଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇ ବିସ୍ତୃତ ଭାବରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କୃଷକ କଲ୍ୟାଣକାରୀ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସହାୟତା ରାଶି ବର୍ଷକୁ ଦୁଇ ଥର ପ୍ରଦାନ କରାଯାଉଛି। ରବି ଋତୁ ପାଇଁ ଯାଜପୁର ଜିଲ୍ଲାରେ ସମୁଦାୟ ୧ ଲକ୍ଷ ୯୯ ହଜାର ୪୨୧ ଜଣଙ୍କୁ ଏହି ସହାୟତା ରାଶି ସେମାନଙ୍କ ବ୍ୟାଙ୍କ୍ ଖାତା ମାଧ୍ୟମରେ ପାଇବେ।ଏହାକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବାକୁ ସମସ୍ତ ଚାଷୀ ଭାଇଙ୍କୁ ଅନୁରୋଧ କରିଥିଲେ।ତତ୍ ସହିତ ସେ ସମସ୍ତ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ଉଦ୍ଧିଷ୍ଟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ରିଲିଫ ପ୍ୟାକେଜର ଯୋଜନାବଳି ଏବଂ ଇନପୁଟ ସବସିଡିର ସହାୟତା ରାଶି କିପରି ଆଗାମୀ ଫସଲ ପାଇଁ ଚାଷୀମାନେ ଉପଯୋଗ କରିପାରିବେ ସେ ସମ୍ବନ୍ଧରେ ସଚେତନ କରାଇଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଯାଜପୁର ଶ୍ରୀଯୁକ୍ତ ଯୁଧିଷ୍ଠିର ନାୟକ , ମୁଖ୍ୟ ଜିଲ୍ଲା ପ୍ରାଣୀସମ୍ପଦ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ମହାନ୍ତି,ସହକାରୀ ନିର୍ଦେଶକ, ଉଦ୍ୟାନ କୃଷି ଶ୍ରୀ ଗୋପୀନାଥ ବେହେରା ଯୋଗଦାନ କରି ମଞ୍ଚରେ ଆସନ ଗ୍ରହଣ କରିଥିଲେ । ଏଥି ସହିତ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ବିଶ୍ୱାଳ, ମୃତ୍ତିକା ସଂରକ୍ଷଣ ସହକାରୀ ନିର୍ଦ୍ଦେଶକ, ଜିଲ୍ଲା କୃଷି ଅଧିକାରୀ, ଯାଜପୁର ତଥା କୃଷି ବିଭାଗର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ବ୍ଲକ୍ ସ୍ତରୀୟ ଅଧିକାରୀ,କର୍ମଚାରୀ,ସମସ୍ତ ବ୍ଲକ ରୁ ଆସିଥିବା କୃଷକ ଭାଇ ଓ ଭଉଣୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ। ଏହି ସିଧା ପ୍ରସାରଣ କାର୍ଯକ୍ରମରେ ମୋଟ ୧୫୦ ରୁ ଉର୍ଦ୍ଧ୍ବ ଚାଷୀ ସହିତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଉପ ପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା, ଯାଜପୁର ଶ୍ରୀଯୁକ୍ତ ମନୋଜ କୁମାର ରାଉତ ସଭା କାର୍ଯ୍ୟ ପରିଚାଳନା କରିଥିଲେ।
