ସାତ ବର୍ଷରେ ମୁଣ୍ଡ ଉପରୁ ହଟିଗଲା ପରିବାରର ଛାୟା, ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଚାରି ଭାଇଭଉଣୀ।
କନ୍ଧମାଳ, କ.ନୂଆଗାଁ
ତା: ୦୪/୦୯/୨୦୨୬
ସାତ ବର୍ଷ ମଧ୍ୟରେ ଜଣଙ୍କ ପରେ ଜଣେ ପରିବାରର ସଦସ୍ୟଙ୍କୁ ହରାଇ ଆଜି ଅସହାୟ ହୋଇପଡ଼ିଛନ୍ତି ଚାରି ଭାଇଭଉଣୀ। ମୁଣ୍ଡ ଉପରୁ ବାପା-ମାଆଙ୍କ ଛାୟା ହଟିଯିବା ପରେ ଏବେ ଭବିଷ୍ୟତକୁ ନେଇ ଚିନ୍ତାରେ ଏହି ଚାରି ଅନାଥ ଭାଇଭଉଣୀ। ବର୍ତ୍ତମାନ ସେମାନଙ୍କ ଆଶା କେବଳ ସରକାରୀ ସହାୟତା ଉପରେ।
କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଜିରିଡ଼ିଙ୍ଗିଆ ପଞ୍ଚାୟତର ତାଣ୍ଡିପାଙ୍ଗା ଗାଁର ଏହି ଦୁଃଖଦ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ପ୍ରାୟ ସାତ ବର୍ଷ ପୂର୍ବେ ସ୍ୱର୍ଗତ ବିସ୍କେସନ ବେହେରାଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ବାପାଙ୍କୁ ହରାଇବା ପରେ ଚାରି ଭାଇଭଉଣୀଙ୍କ ଦାୟିତ୍ୱ ନେଇଥିଲେ ମାଆ ଶାନ୍ତିଲତା ବେହେରା। ନିଜେ ଦୁଃଖକଷ୍ଟ ସହି କୁଲି ମଜୁରୀ କରି ପିଲାମାନଙ୍କୁ ଲାଳନପାଳନ କରିବା ସହ ପାଠ ପଢ଼ାଇବାକୁ ଚେଷ୍ଟା କରୁଥିଲେ।
ଏହାରି ମଧ୍ୟରେ ଦୁଇ-ତିନି ବର୍ଷ ଭିତରେ ପରିବାରର ଦାଦା ଓ ଜେଜେମାଆଙ୍କୁ ମଧ୍ୟ ହରାଇଥିଲେ ଏହି ପିଲାମାନେ। ତଥାପି ମାଆଙ୍କ ସ୍ନେହ ଓ ସାହସକୁ ଆଶ୍ରା କରି ଜୀବନ ଆଗକୁ ବଢ଼ାଉଥିଲେ।
କିନ୍ତୁ ଭାଗ୍ୟର ନିଷ୍ଠୁର ଆଘାତ ପୁଣି ଥରେ ଏହି ପରିବାର ଉପରେ ପଡ଼ିଛି। ଗତ ମାସରେ ଘରୁ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡ଼ି ମାଆ ଶାନ୍ତିଲତା ବେହେରାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ମାଆଙ୍କୁ ହରାଇବା ପରେ ଏବେ ଚାରି ଭାଇଭଉଣୀଙ୍କ ମୁଣ୍ଡ ଉପରୁ ଶେଷ ଆଶ୍ରୟଟି ମଧ୍ୟ ଚାଲିଯାଇଛି। ଆଖିର ଲୁହ ଓ ଅସହାୟତା ମଧ୍ୟରେ ସେମାନଙ୍କ ସାମ୍ନାରେ ଏବେ ବଡ଼ ପ୍ରଶ୍ନ—ଆଗକୁ କେମିତି ଚଳିବେ? କିଏ ହେବ ସେମାନଙ୍କ ଆଶ୍ରୟ?
ସବୁଠାରୁ ଦୁଃଖର ବିଷୟ, ଏହି ଚାରି ଭାଇଭଉଣୀଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଆଜି ପର୍ଯ୍ୟନ୍ତ ଏକ ପକ୍କା ଘର ମଧ୍ୟ ନାହିଁ। ବାପାଙ୍କ ମୃତ୍ୟୁ ପରେ ମଧ୍ୟ ସେମାନେ ଆବାସ ଯୋଜନାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି।
ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନ, ସରପଞ୍ଚ, ଜନପ୍ରତିନିଧି ଓ ସମାଜର ସହୃଦୟ ବ୍ୟକ୍ତିମାନେ ଏହି ଅସହାୟ ଚାରି ଭାଇଭଉଣୀଙ୍କ ଦୁଃଖକୁ ଗୁରୁତ୍ୱର ସହ ନେଇ ସେମାନଙ୍କୁ ଆବଶ୍ୟକ ସରକାରୀ ସହାୟତା, ଆଶ୍ରୟ ଓ ଶିକ୍ଷାର ବ୍ୟବସ୍ଥା କରିବାକୁ ଦାବି ହେଉଛି।
ବାପା-ମାଆଙ୍କୁ ହରାଇ ଅସହାୟ ହୋଇପଡ଼ିଥିବା ଏହି ଚାରି ଭାଇଭଉଣୀଙ୍କ ଆଖିରେ ଏବେ କେବଳ ଗୋଟିଏ ଆଶା—ସରକାର ଓ ସମାଜ ସେମାନଙ୍କ ଦୁଃଖକୁ ବୁଝି ସହାୟତାର ହାତ ବଢ଼ାଇବ।
