ଖବରକାଗଜରେ ବାରମ୍ବାର ପ୍ରକାଶିତ ପରେ ତତ୍ପର ଶିକ୍ଷାବିଭାଗ “ହାଇସ୍କୁଲ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଉଠାଣ ଅଭିଯୋଗ।
ବନ୍ତ (ନିପ୍ର ): ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତ ଅନ୍ତର୍ଗତ ସରମରାସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟର ବ୍ୟାଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କା ଉଠାଣ ନେଇ ଅଭିଯୋଗ ହୋଇଛି। ଅଗଷ୍ଟ ୧୧ ତାରିଖରେ ଚେକ୍ ମାଧ୍ୟମରେ ଏହି ଟଙ୍କା ଉଠାଯାଇଥିବା ବେଳେ, ଅଗଷ୍ଟ ୨୪ରେ ପୁଣି ୬୨ ହଜାର ଟଙ୍କା ଉଠାଣ ଉଦ୍ୟମ ବେଳେ ଘଟଣା ସାମ୍ନାକୁ ଆସିଥିଲା।ବ୍ୟାଙ୍କ ଅଧିକାରୀ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଫୋନ୍ କରି ଅଭିଷେକ ସାହୁ ନାମକ ବ୍ୟକ୍ତି ୬୨ ହଜାର ଟଙ୍କା ଉଠାଇବା ପାଇଁ ବିଦ୍ୟାଳୟର ଚେକ୍ ନେଇ ଆସିଥିବା ଜଣାଇଥିଲେ। ତେବେ ବିଦ୍ୟାଳୟ ପକ୍ଷରୁ କାହାକୁ ଚେକ୍ ଦିଆଯାଇନଥିବା ପ୍ରଧାନଶିକ୍ଷୟିତ୍ରୀ ସ୍ପଷ୍ଟ କରିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଚେକ୍ କ୍ଲିୟର କରିନଥିଲେ। ଘଟଣାକୁ ନେଇ ବନ୍ତ ଥାନାରେ ଏତଲା ଦିଆଯାଇଥିବା ବେଳେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ବ୍ରଜକିଶୋର ପ୍ରଧାନଙ୍କ ନାମ ମଧ୍ୟ ଚର୍ଚ୍ଚାକୁ ଆସିଛି। ତେବେ ଘଟଣାର ପ୍ରକୃତ ତଥ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।
ଅଭିଯୋଗକୁ ନେଇ ସୂଚନା ଅଧିକାର କର୍ମୀ ବିକାଶ ଧଳ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରାଯାଇଛି। ବ୍ଲକ ଶିକ୍ଷାଧିକାରୀ ଚିତ୍ତରଞ୍ଜନ ମହାନ୍ତି ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ସହ ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିବା କହିଛନ୍ତି।ଅନ୍ୟପକ୍ଷରେ ଚେକ୍ରେ ଥିବା ଦସ୍ତଖତ ନେଇ ମଧ୍ୟ ପ୍ରଶ୍ନ ଉଠିଥିବା ବେଳେ ଏହା ଜାଲ କି ନୁହେଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ତଦନ୍ତକୁ ନେଇ ସୂଚନା ଅଧିକାର କର୍ମୀ ଓ ବିଇଓଙ୍କ ମଧ୍ୟରେ ମତଭେଦ ମଧ୍ୟ ଦେଖାଦେଇଛି।ଏ ନେଇ ବିଇଓ ଚିତ୍ତରଞ୍ଜନ ମହାନ୍ତି କହିଛନ୍ତି, “ଘଟଣାର ତଦନ୍ତ ଚାଲିଛି। ତଦନ୍ତରେ ଯିଏ ବି ଦୋଷୀ ପ୍ରମାଣିତ ହେବେ, ତାଙ୍କ ବିରୋଧରେ ଆଇନଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ହେଲେ ସସ୍ପେଣ୍ଡ ମଧ୍ୟ କରାଯିବ।”ଏବେ ଜିଲ୍ଲା ଶିକ୍ଷା ବିଭାଗର ତଦନ୍ତ ରିପୋର୍ଟ ଉପରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାହାକୁ ନେଇ ନଜର ରହିଛି।
