କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳଙ୍କ ନେତୃତ୍ୱରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ।
କାଲିମେଳା – ୦୩/୦୯/୨୬
ରିପୋର୍ଟ – ସୁକୁମାର ମଣ୍ଡଳ
କାଲିମେଳା ଥାନା ଆଇଆଇସି ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶ୍ଵାଳଙ୍କ ନେତୃତ୍ୱରେ ଆଜି ସଡ଼କ ସୁରକ୍ଷା ଉପରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଆରଟିଓ କର୍ମଚାରୀଙ୍କ ସହ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ, ଛାତ୍ର ଛାତ୍ରୀ ଏବଂ କାଲିମେଳା ଥାନାର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଗୋପବନ୍ଧୁ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନ୍ ଏସ ଏସ କୋ- ଇଉନିଟ ସଂସ୍ଥାର ପ୍ରୋଗ୍ରାମ ଅଫିସର ଶ୍ରୀଯୁକ୍ତ ବିମଲ୍ କୁମାର ସାହୁ, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବିଶ୍ୱାଳ, ଏନ୍ ଏସ ଏସ ସେଚ୍ଛାସେବୀ ମାନଙ୍କୁ ନେଇ ଅନୁଷ୍ଠାନରୁ ରାଜରାସ୍ତା ପର୍ଯ୍ୟନ୍ତ ଶୋଭାଯାତ୍ରା କରି ଏମ୍ ଭି ୯୦ ଛକ ନିକଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ୱ ସେଚ୍ଛାସେବୀ ଏବଂ ଛାତ୍ର ଛାତ୍ରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଦୀର୍ଘ ତିନି ଘଣ୍ଟା ଧରି ବିଭିନ୍ନ ଗାଡ଼ି ଅଟକାଇ ସଡ଼କ ସୁରକ୍ଷାର ନିୟମାବଳୀ ସମ୍ବନ୍ଧରେ ସଚେତନ କରାଯାଇଥିଲା। ଆଜିର ଏହି ଯାଞ୍ଚର ମୂଖ୍ୟ ଉଦ୍ଦେଶ୍ୟ ଥିଲା ଗାଡ଼ି ଚାଳକ ମାନଙ୍କୁ ଟ୍ରାଫିକ ନିୟମ ଉପରେ ସଚେତନ କରାଇବା। ଏହି ପରିପ୍ରେକ୍ଷୀରେ ନିରାପଦ ଗାଡ଼ି ଚାଳନା କରିବା ପାଇଁ ହେଲମେଟ ବ୍ୟବହାର କରିବା,ଆର ସି, ଡ୍ରାଇଭିଂ ଲାଇସେନ୍ସ ଏବଂ ବିମା ସଠିକ୍ ରଖିବା ପାଇଁ ଚାଳକ ମାନଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ଗାଡ଼ି ଚାଳନା ବେଳକୁ କେହି ଯେମିତି ମୋବାଇଲ ଫୋନ ବ୍ୟବହାର ନ କରିବେ ତାହା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ଏହାଛଡ଼ା କାଗଜ ପତ୍ର ନ ଥିବା ବା ଇଲିଗାଲ ଗାଡ଼ି ଏବଂ ୧୨ ଗୋଟି ଗାଡ଼ି ଚାଳକ ଆଇନ ଉଲ୍ଲଂଘନ କରି ଥିବାରୁ ତାଙ୍କ ଉପରେ ଆଜି ୯୫୦୦ ଟଙ୍କା ଫାଇନ କଟାଯାଇଥିବା ବେଳେ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ୍ କରାଯାଇଛି।ମଦ୍ୟପାନ ତଥା ନିଶା ଜାତୀୟ ଦ୍ରବ୍ୟ ସେବନ କରି ଗାଡି ନ ଚଳାଇବାକୁ ଶ୍ରୀଯୁକ୍ତ ବିଶ୍ଵାଳ ସମସ୍ତଙ୍କୁ ନିବେଦନ କରିଥିଲେ।
