ବର୍ଷା ହେଲେ ବିଚ୍ଛିନ୍ନ ହୋଇଯାଏ ଅନେକ ଗାଁ ରାସ୍ତା, ନଦୀ ପାର ହିଁ ଭରସା — ଜୀବନକୁ ବିପଦରେ ପକାଇ ଯାତାୟାତ କରୁଛନ୍ତି ଗ୍ରାମବାସୀ।
ବାଲିଗୁଡ଼ା: ୩/୯(ନି.ପ୍ର)ସ୍ୱାଧୀନତାର ଦଶନ୍ଧି ପରେ ବି ଦୁର୍ଗମ ଅଞ୍ଚଳରେ ବିକାଶର ଚିତ୍ର ଏବେ ବି ଅଧୁରା। ସିନ୍ଦ୍ରଗାଗ୍ରାମ ପଞ୍ଚାୟତର ବରିପଡ଼ାଠାରୁ ଗେବାପଦର, ବିଗାପଦର, ମେଣ୍ଡି, ପାଙ୍ଗା, ଲାଙ୍ଗାସାପଦର ସମେତ ଅନେକ ଗାଁର ଲୋକଙ୍କ ପାଇଁ ଆଜି ବି ସୁଗମ ଯାତାୟାତ ସ୍ୱପ୍ନ ପାଲଟିଛି।ବର୍ଷା ଆସିଲେ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ୁଛି। ନଦୀ ଓ ନାଳରେ ପାଣି ବଢ଼ିବା ପରେ ଜୀବନକୁ ବିପଦରେ ପକାଇ ଲୋକମାନେ ପାଣି ଭିତରେ ପଶି ଚଳାଚଳ କରୁଛନ୍ତି। ଏପରିକି ମୋଟରସାଇକେଲ ନେଇ ମଧ୍ୟ ପ୍ରବାହିତ ପାଣି ଭିତରେ ଯାତାୟାତ କରୁଥିବା ଦୃଶ୍ୟ ଅଞ୍ଚଳର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣିଛି।ଏହି ରାସ୍ତା ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ, ଚାଷୀ, ମହିଳା, ବୃଦ୍ଧ ଓ ରୋଗୀମାନେ ବର୍ଷା ଦିନରେ ଅଧିକ ହଇରାଣ ହେଉଛନ୍ତି। ରୋଗୀଙ୍କୁ ଚିକିତ୍ସା ପାଇଁ ନେବା ସମୟରେ ମଧ୍ୟ ଯାତାୟାତର ଏହି ସମସ୍ୟା ବଡ଼ ବାଧା ସୃଷ୍ଟି କରୁଛି। ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ଯାନ ଗାଁ ନିକଟକୁ ପହଞ୍ଚିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।
କେବେ ମିଳିବ ସ୍ଥାୟୀ ସମାଧାନ?
ବର୍ଷ ବର୍ଷ ଧରି ଯାତାୟାତ ସମସ୍ୟା ଭୋଗୁଥିବା ଗ୍ରାମବାସୀଙ୍କ ମୁଖ୍ୟ ଦାବି ହେଉଛି ସ୍ଥାୟୀ ରାସ୍ତା ଓ ଆବଶ୍ୟକ ସ୍ଥାନରେ ପୋଲ ନିର୍ମାଣ।
