ସମବାୟ ସମିତିରେ ଧାନ ବିକ୍ରି ପଞ୍ଜିକରଣ ପାଇଁ ହନ୍ତସନ୍ତ ବଞ୍ଚିତ ହେବେ ଲକ୍ଷାଧିକ ଚାଷୀ ।
ଧରାକୋଟ, ୨୯/୦୮/୨୬ (ରିପୋର୍ଟ- ବାପୁନି ସେଠୀ ) :- ରାଜ୍ୟ ସରକାର ନିୟମ ପରିବର୍ତ୍ତନ କରିବା ଫଳରେ ଶତାଧିକ ଚାଷୀ ଅନଲାଇନ ପଞ୍ଜିକରଣରୁ ବଞ୍ଚିତ ହେଉଛନ୍ତି। ଓଡିଶାରେ ସମବାୟ ସମିତିରେ ଖରିଫ ଧାନ ଅନଲାଇନ ପଞ୍ଜିକରଣକୁ ଶେଷ ଅବଧିକୁ ଆଉ ମାତ୍ର ତିନିଦିନ ବାକି ଥିବା ବେଳେ ପଞ୍ଜିକରଣ ପ୍ରକ୍ରିୟାରୁ ଲକ୍ଷାଧିକ ଚାଷୀ ବଞ୍ଚିତ ହେବା ସମ୍ଭାବନା ସମବାୟ ସମିତି ମାନଙ୍କ କାର୍ଯ୍ୟକଳାପରୁ ସ୍ୱଷ୍ଟ ବାରି ହୋଇପଡୁଛି | ସୂଚନା ଅନୁଯାୟୀ ଅନେକ ସମବାୟ ସମିତି ସରକାରୀ ନିୟମ ନମାନି ନିଜ ନିଜ ମନ ମୁତାବକ କାର୍ଯ୍ୟରେ ଲିପ୍ତ ରହୁଥିବା ଦେଖିବାକୁ ମିଳିଛି ସଠିକ ସମୟରେ ସମିତି ନ ଖୋଲି ଦିନ ୧୧.୦୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖିବା,ସମୟ ସମୟରେ ଲିଙ୍କ କଟିଯିବା କାରଣରୁ ପ୍ରକ୍ରିୟା କାରଣ ଧିମା ହେବ, ପଞ୍ଜିକରଣ କରିବା ପାଇଁ କର୍ମୀଙ୍କ ଅଭାବ ଯୋଗୁ ପଞ୍ଜିକରଣ ନ ହୋଇପାରିବା ଭଳି ଅନେକ ସମସ୍ୟା ରହିଥିବା ଦେଖିବାକୁ ମିଳିଛି | ସୂଚନା ଅନୁଯାୟୀ ଅନେକ ସମବାୟ ସମିତି ଅଧୀନରେ ପ୍ରତ୍ୟେକ ବର୍ଷ ପ୍ରାୟ ୧୨ ଶହ ରୁ ଉର୍ଦ୍ଧ୍ବ ଚାଷୀ ଖରିଫ ଅନଲାଇନ ପଞ୍ଜିକରଣ କରି ଧାନ ବିକ୍ରି କରିଥାନ୍ତି। ଗତ ପଞ୍ଜିକରଣ ପ୍ରକ୍ରିୟାରେ ରେ ବ୍ୟାପକ ଅନିୟମିତତା ଦେଖାଦେବାରୁ ଚଳିତ ବର୍ଷ ରାଜ୍ୟ ସରକାର ପଞ୍ଜିକରଣ ନିୟମରେ ବ୍ୟାପକ ପରିବର୍ତନ କରିଛନ୍ତି।ପ୍ରତ୍ୟେକ ଚାଷୀ ଜମିଜମା ରେକର୍ଡ଼ ସଂପର୍କିତ ଆଗ୍ରିଷ୍ଟାକ କରିବା,କୃଷିନାମା କରିବା ଓ ମଠ,ମନ୍ଦିର ଓ ଗ୍ରାମ କୋଠା ମାଲିକାନାରେ ଥିବା ସମ୍ପତ୍ତିକୁ ଅନଲାଇନ ପଞ୍ଜିକରଣ ନକରିବା ଭଳି କେତେକ ଗୁରୁତ୍ବପୂର୍ଣ ନିୟମ ଆଣିଛନ୍ତି।ପରବର୍ତ୍ତୀ ସମୟରେ ଆଗ୍ରିଷ୍ଟାକରେ ସମସ୍ୟା ହେବାରୁ ସରକାର ଏହାକୁ ହଟାଇ ଦେଇଥିଲେ।ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଠ,ମନ୍ଦିର ଓ ଗ୍ରାମ କୋଠା ନାମରେ ପ୍ରାୟ ଶହ ଶହ ଏକର ଚାଷ ଜମି ରହିଛି। ଉକ୍ତ ଚାଷ ଜମିକୁ ମାରଫତଦାର ହିସାବରେ ଚାଷ କରି ପ୍ରାୟ ଶତାଧିକ ଚାଷୀ ଅନଲାଇନ ପଞ୍ଜିକରଣ କରି ବହୁ ବର୍ଷ ଧରି ସମିତିକୁ ଧାନ ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଛନ୍ତି। ହେଲେ ସରକାର ଚଳିତ ବର୍ଷ ମଠ,ମନ୍ଦିର ଓ ଗ୍ରାମ କୋଠା ଜମି ରେକର୍ଡ଼ ରୁ ମାରଫତଦାରଙ୍କ ନାମ ଅନଲାଇନ ଜମିପଟ୍ଟାରୁ ହଟେଇ ଦେବା ସହ ଉକ୍ତ ଚାଷ ଜମିକୁ ଅନଲାଇନ ପଞ୍ଜିକରଣ ନକରିବାକୁ ସମିତି ସମ୍ପାଦକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଫଳରେ ସମିତି ଅଧୀନରେ ଥିବା ମଠ,ମନ୍ଦିର ଓ ଗ୍ରାମ କୋଠା ଜମିରେ ଅନଲାଇନ ପଞ୍ଜିକରଣ ନହେବା ଦ୍ୱାରା ଉକ୍ତ ଚାଷ ଜମିକୁ ଚାଷ କରିଥିବା ଶତାଧିକ ଚାଷୀ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ଧାମନଗର ଚାଷୀ ମାନେ ଗତ ଶୁକ୍ରବାର ଦିନ ସମିତି କାର୍ଯ୍ୟାଳୟକୁ ଆସି ହୋହାଲ୍ଲା କରିବା ସହ ଅନଲାଇନ ପଞ୍ଜିକରଣ କାର୍ଯ୍ୟକୁ ବନ୍ଦ ରଖିଛନ୍ତି। ଫଳରେ ଅନ୍ୟ ଚାଷୀ ମାନେ ପଞ୍ଜିକରଣ ନକରି ଫେରି ଯାଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସ ୬ ତାରିଖରୁ ଆରମ୍ଭହୋଇ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ରହିଛି। ଅଦ୍ୟାବଧି ସମିତି ଅଧୁନରେ ୫୦ ପ୍ରତିସଦ ଚାଷୀ ଅନଲାଇନ ପଞ୍ଜିକରଣ କରିଥିବା ବେଳେ ଆହୁରି ଅନେକ ଚାଷୀ ପଞ୍ଜିକରଣ ପ୍ରକ୍ରିୟାରୁ ବଞ୍ଚିତ ଥିବା ଜଣାପଡିଛି । ଏପରି ସ୍ଥଳେ ଶେଷ ତାରିଖ କୁ ଆଉ ମାତ୍ର ୩ ଦିନ ବାକି ଥିବା ବେଳେ ପଞ୍ଜିକରଣ କାର୍ଯ୍ୟ ଧିମା ହେବ ଏକ ବଡ଼ ସମସ୍ୟା ଦେଖାଯାଇଛି । ଏହି ସମସ୍ୟା ଯଦି ଲାଗି ରହେ ତେବେ ବହୁ ଚାଷୀ ଅନଲାଇନ ପଞ୍ଜିକରଣ ରୁ ବଞ୍ଚିତ ହେବେ ବୋଲି ସୂଚନା ମିଳିଛି। ତେଣୁ ପଞ୍ଜିକରଣ ସମୟସୀମା ବୃଦ୍ଧି ପାଇବା ପାଇଁ ଚାଷୀମାନଙ୍କ ଦାବି ଜୋର ଧରିଛି |
