କେନାଲ ସେତୁ ମାଟି ଧସିଲା, ଗାଡ଼ି ଚଳାଚଳ ଠପ୍
ଆଗରପଡ଼ା,(ନିପ୍ର) ପୂର୍ତ୍ତ ବିଭାଗ ଅଧୀନସ୍ଥ ଆଗରପଡ଼ା-କୁପାରୀ ରାସ୍ତା ରାମପୁର ଠାରେ ମୁଖ୍ୟ କେନାଲ ସେତୁ ପାର୍ଶ୍ଵରୁ ଗତ ଗୁରୁବାର ରାତିରେ ମାଟି ଅତଡ଼ା ଖସିବାରୁ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି । ବର୍ତ୍ତମାନ ସେତୁଟି ବିପଦଶଙ୍କୁଳ ଅବସ୍ଥାରେ ରହିଛି । ଏହାର ସନ୍ନିକଟରେ ଥିବା ହନୁମାନ ମନ୍ଦିର ଓ ବିଦ୍ୟୁତ ଖୁଣ୍ଟ ମଧ୍ୟ ମୂଳରୁ ମାଟି ଅତଡ଼ା ଖସିବାରୁ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି । ଭଦ୍ରକ ବିଭାଗୀୟ ଏସି ହିତେଶ ସାହୁ, ଏସଡିଓ ଦଶରଥ ମୁର୍ମୁ ପ୍ରମୁଖ ଅଧିକାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ଅବସ୍ଥା ଅନୁଧ୍ୟାନ କରୁଛନ୍ତି । ବିଦ୍ୟୁତ ବିଭାଗ କର୍ମଚାରୀମାନେ କ୍ରେନ ସାହାଯ୍ୟରେ ଖୁଣ୍ଟ ଓ ତାର ବାହାର କରି କେନାଲ ନିକଟରୁ ସ୍ଥାନାନ୍ତର କରୁଛନ୍ତି । ଗତକାଲି ରାତିରେ ଲଗାଣ ବର୍ଷା ହେବା ପରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯଦି ଏହି ବର୍ଷା ଲାଗିରହେ ତେବେ କେନାଲ ଆଖପାଖ ଅଞ୍ଚଳରେ କ୍ଷତି ପହଁଞ୍ଚିବାର ସମ୍ଭାବନା ରହିଛି । ବାଲି ବସ୍ତା ପକାଯାଇ ଅସ୍ଥାୟୀ କାର୍ଯ୍ୟ ଚାଲିଛି । ଏକ୍ସପର୍ଟ ଆସି ଅନୁଧ୍ୟାନ କରିବା ପରେ ସ୍ଥାୟୀ ମରାମତି କରାଯିବ ବୋଲି ଏସଡିଓ ସୂଚନା ଦେଇଛନ୍ତି । ପୂର୍ତ୍ତ ଓ କେନାଲ ବିଭାଗ ଅଧିକାରୀମାନଙ୍କ ଅବହେଳାରୁ ଏହିପରି ଅବସ୍ଥା ସୃଷ୍ଟି ହେଲା ବୋଲି ଅଭିଯୋଗ କରି ସ୍ଥାନୀୟ ଲୋକମାନେ ହୋ ହାଲ୍ଲା କରିଥିଲେ । ବାଲେଶ୍ଵର – ଭୁବନେଶ୍ୱର, ଅନୁଗୋଳ, କେଉଁଝର, ଭଦ୍ରକ ଭାୟା ଆଗରପଡ଼ାକୁ ଚଳାଚଳ କରୁଥିବା ଯାତ୍ରୀବାହୀ ବସ ସଂପୂର୍ଣ୍ଣ ବନ୍ଦ ରହିଛି । ବନ୍ତ ବ୍ଲକ ଅଧ୍ଯକ୍ଷ ମନୋରଂଜନ ଘଡ଼େଇ ଘଟଣାସ୍ଥଳରେ ପହଁଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ ।ଲୋକମାନଙ୍କ ଏହି ସମସ୍ୟାକୁ ଲକ୍ଷ୍ୟ ରଖି କ୍ଷତିଗ୍ରସ୍ତ ରାମପୁର ସେତୁ ପାର୍ଶ୍ଵ କେନାଲ ରାସ୍ତାରେ ବାଲିପୋଖରୀ କିମ୍ବା ମାର୍କଣ୍ଡପୁର ରାସ୍ତାଦେଇ ଆଗରପଡ଼ା ଆସିବାକୁ ଛୋଟ ଛୋଟ ଯାନବାହନ ଚାଳକଙ୍କୁ ପରାମର୍ଶ ଦେଇଛନ୍ତି ।
