କୋଟି କୋଟି ଟଙ୍କାରେ ନିର୍ମିତ ବାସୁପାଲି–ବଡ଼ତଇଲା ପୋଲରେ ୬ ମାସ ମଧ୍ୟରେ ଫାଟ; ୨୫ରୁ ୩୦ଟି ଗାଁର ଯାତାୟାତ ବ୍ୟାହତ
ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିପୋଷି ଛକରୁ ବାସୁପାଲି ହୋଇ ବଡ଼ତଇଲାକୁ ସଂଯୋଗ କରୁଥିବା ବାସୁପାଲି ନାଳ ଉପରେ ନିର୍ମିତ ପୋଲର ଅବସ୍ଥାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପୋଲ ଉଦ୍ଘାଟନର ମାତ୍ର ଛଅ ମାସ ମଧ୍ୟରେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି।
ସମ୍ପ୍ରତି ହୋଇଥିବା ଲଗାଣ ବର୍ଷା ପରେ ପୋଲର ଗାର୍ଡୱାଲରେ ବଡ଼ ବଡ଼ ଫାଟ ସୃଷ୍ଟି ହୋଇଥିବା ସହ ପୋଲ ଉପର ରାସ୍ତାର ପିଚୁ ମଧ୍ୟ ବିଭିନ୍ନ ସ୍ଥାନରେ ଫାଟିଯାଇଥିବା ଦେଖିବାକୁ ମିଳିଛି। ଏଥିସହ ପୋଲ ଉପରେ ଏକ ବଡ଼ ଗଛ ପଡ଼ି ରହିଥିବାରୁ ଯାନବାହନ ଗୋଟିଏ ପାର୍ଶ୍ୱ ଦେଇ ଚଳାଚଳ କରୁଛି। ଏହା ଫଳରେ ଦୁର୍ଘଟଣାର ଆଶଙ୍କା ବଢ଼ିବା ସହ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି।
ଏହି ପୋଲ ଉପରେ ନିର୍ଭର କରୁଥିବା ପ୍ରାୟ ୨୫ରୁ ୩୦ଟି ଗାଁର ଲୋକେ ଦୈନନ୍ଦିନ କାର୍ଯ୍ୟ, ଶିକ୍ଷା, ଚିକିତ୍ସା ସେବା ଓ ବ୍ୟବସାୟିକ କାର୍ଯ୍ୟ ପାଇଁ ଏହି ରାସ୍ତା ବ୍ୟବହାର କରୁଥିବାବେଳେ ବର୍ତ୍ତମାନ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ପୋଲ ନିର୍ମାଣ ସମୟରୁ ହିଁ କାର୍ଯ୍ୟର ଗୁଣବତ୍ତାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥିଲା। ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ବିଭିନ୍ନ ଅନିୟମିତତା ସମ୍ପର୍କରେ ସମ୍ପୃକ୍ତ ବିଭାଗକୁ ଅଭିଯୋଗ ମଧ୍ୟ କରାଯାଇଥିଲା। କିନ୍ତୁ ସେତେବେଳେ ଏହି ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରାଯାଇନଥିବାରୁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ବୋଲି ସେମାନେ ଦାବି କରିଛନ୍ତି।
ଘଟଣା ସମ୍ପର୍କରେ ସମ୍ପୃକ୍ତ ବିଭାଗର ଯନ୍ତ୍ରୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କିମ୍ବା ସନ୍ତୋଷଜନକ ପ୍ରତିକ୍ରିୟା ମିଳିନଥିବା ସୂଚନା ମିଳିଛି।
ଏହି ପରିସ୍ଥିତିରେ କ୍ଷତିଗ୍ରସ୍ତ ପୋଲର ତୁରନ୍ତ ମରାମତି, ଆବଶ୍ୟକ ହେଲେ ଗୁଣାତ୍ମକ ମାନଦଣ୍ଡ ଅନୁଯାୟୀ ପୁନଃନିର୍ମାଣ ଏବଂ ନିର୍ମାଣ କାର୍ଯ୍ୟରେ କୌଣସି ଅନିୟମିତତା ହୋଇଥିଲେ ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବୃହତ୍ ଜନଆନ୍ଦୋଳନ ଗଢ଼ି ତୋଳାଯିବ ବୋଲି ସେମାନେ ସତର୍କ କରିଛନ୍ତି।
ଦେବଗଡ଼ରୁ ସୁରେଶ ମାଝୀଙ୍କ ରିପୋର୍ଟ।
