*ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାରେ ପୋଲିସକୁ ବଡ଼ ସଫଳତା*
*ପଶ୍ଚିମବଙ୍ଗରୁ ୫ ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ୩ ରାଉଣ୍ଡ ଅଫୁଟା ଗୁଳି ଜବତ*
ବସ୍ତା:- (ନି.ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଦିନ ଦ୍ୱିପହରେ ଘଟିଥିବା ଚାଞ୍ଚଲ୍ୟକର ଡକାୟତି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଟିମ୍। ଗିରଫ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଏବଂ ୩ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି। ଗତ ସେପ୍ଟେମ୍ବର ୮ ତାରିଖରେ ୬ ଜଣ ଦୁର୍ବୃତ୍ତ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଭିତରକୁ ପଶିଥିଲେ। ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ। ଏପରିକି ବ୍ୟାଙ୍କ ମ୍ୟାନେଜରଙ୍କୁ ମଧ୍ୟ ମାଡ଼ ମାରି କ୍ୟାସ୍ କାଉଣ୍ଟରରୁ ୧୩ ଲକ୍ଷ ୮୦ ହଜାର ୪୪୪ ଟଙ୍କା ଲୁଟ୍ କରିଥିଲେ। ଲୁଟ୍ ପରେ ଦୁର୍ବୃତ୍ତମାନେ ବ୍ୟାଙ୍କ କର୍ମଚାରୀଙ୍କୁ ଗୋଟିଏ ରୁମ୍ରେ ବନ୍ଦ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବାଲେଶ୍ୱର ଏସ୍ପି ଏବଂ ଡିଆଇଜି, ଇଷ୍ଟର୍ଣ୍ଣ ରେଞ୍ଜ, ବାଲେଶ୍ୱରଙ୍କ ନିର୍ଦ୍ଦେଶରେ ଦୁଇଟି ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା। ବସ୍ତା ଏସ୍ଡିପିଓ ସମର୍ଥ କୁମାର ବେହେରା ଏବଂ ବାଲିଆପାଳ ଥାନା ଆଇଆଇସି ସାଲଖାନ ମୁର୍ମୁଙ୍କ ତତ୍ତ୍ୱାବଧାନରେ ଦୁଇଟି ଟିମ୍ ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ। ତଦନ୍ତରୁ ମିଳିଥିବା ସୁରାକକୁ ଆଧାର କରି ପୋଲିସ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ସନ୍ଦେଶଖାଲି ଥାନା ଅଧୀନ ରାମପୁର, ଜୀବନତଳା ଥାନା ଅଧୀନ ଚଣ୍ଡିବାଲି, ସୋନାରପୁର ଏବଂ ମହେନ୍ଦ୍ରପୁର ଥାନା ଅଞ୍ଚଳର ଚାଟପୁର ଆଦି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ଗୋଟିଏ ଦେଶୀ ବନ୍ଧୁକ ଏବଂ ୩ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି। ତେବେ ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ହୋଇଥିବା ଟଙ୍କା ଏବଂ ଘଟଣାରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ପାଇଁ ପୋଲିସର ଚଢ଼ାଉ ଓ ତଦନ୍ତ ଜାରି ରହିବ। ବାଲିଆପାଳ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ବସ୍ତା ଏସ୍ଡିପିଓ ସମର୍ଥ କୁମାର ବେହେରା।
