ପ
ଆୟକର ବିଭାଗ, ୧୬୭ତମ ଆୟକର ଦିବସ–୨୦୨୬ ପାଳିତ
ଭୁବନେଶ୍ୱର, ଭାରତରେ ୨୪ ଜୁଲାଇ, ୧୮୬୦ରେ ଆୟକର ବ୍ୟବସ୍ଥା ପ୍ରଚଳନର ଐତିହାସିକ ଦିବସକୁ ସ୍ମରଣ କରି ଆୟକର ବିଭାଗ, ଓଡ଼ିଶା ପକ୍ଷରୁ ୨୪ ଜୁଲାଇ, ୨୦୨୬ରେ ଭୁବନେଶ୍ୱରସ୍ଥିତ ଏ.ଜି. ଛକର ଜୟଦେବ ଭବନ ପ୍ରେକ୍ଷାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ୧୬୭ତମ ଆୟକର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଜେ. ବି. ମହାପାତ୍ର, ଭାରତୀୟ ରାଜସ୍ୱ ସେବା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପଦ୍ମଶ୍ରୀ ଶରତ କୁମାର ପାତ୍ର ଏବଂ ପଦ୍ମଶ୍ରୀ ଦୁର୍ଗାଚରଣ ରଣବୀର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ଡା. ଡି. ସୁଧାକର ରାଓ, ଭା.ରା.ସେ. ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ।
ସମାବେଶକୁ ସମ୍ବୋଧିତ କରି ଅତିଥିମାନେ ଦକ୍ଷ କର ପ୍ରଶାସନ, ସ୍ୱେଚ୍ଛାକୃତ କର ଅନୁପାଳନକୁ ପ୍ରୋତ୍ସାହନ ଏବଂ କରଦାତାକୈନ୍ଦ୍ରିକ ପଦକ୍ଷେପ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ଆୟକର ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସ୍ୱଚ୍ଛତା, ପ୍ରଯୁକ୍ତିଗତ ଉନ୍ନତି ଏବଂ ଜନସାଧାରଣଙ୍କ ବିଶ୍ୱାସକୁ ସୁଦୃଢ଼ କରିବା ଦିଗରେ ବିଭାଗ ପକ୍ଷରୁ ନିଆଯାଉଥିବା ନିରନ୍ତର ପଦକ୍ଷେପକୁ ମଧ୍ୟ ସେମାନେ ପ୍ରଶଂସା କରିଥିଲେ। ଆୟକର ଦିବସ ପାଳନ ଉପଲକ୍ଷେ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଅଧିକାରୀ ଓ କର୍ମଚାରୀମାନଙ୍କ ସନ୍ତାନମାନଙ୍କ ପାଇଁ ଖୋଲା ବସି ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହାସହିତ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପଦଯାତ୍ରା ଏବଂ ଝୋଟି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମଗୁଡ଼ିକର ଉଦ୍ଦେଶ୍ୟ ଥିଲା ଶାରୀରିକ ସୁସ୍ଥତା, ଦଳଗତ ଭାବନା, ସୃଜନଶୀଳତା ଏବଂ କର ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଉତ୍ସବରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଏକ ଆକର୍ଷଣୀୟ ଆଭ୍ୟନ୍ତରୀଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ପ୍ରତିଫଳିତ କରୁଥିବା ରଙ୍ଗାରଙ୍ଗ ସମ୍ବଲପୁରୀ ନୃତ୍ୟ ଦର୍ଶକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ଏହି ଅବସରରେ ବିଭାଗର ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତଙ୍କ ଯୋଗ୍ୟତା ପ୍ରମାଣପତ୍ର ଏବଂ ଉତ୍କର୍ଷତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଅତିଥିମାନେ ଆୟକର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଓଡ଼ିଶାର ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟର ଆୟକର ଆୟୁକ୍ତ (ପ୍ରଶାସନ) ଶ୍ରୀ ମୋହିତ ମୃଣାଳ, ଭା.ରା.ସେ.ଙ୍କ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଥିଲା। ସେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ବିଶିଷ୍ଟ ବ୍ୟକ୍ତିବୃନ୍ଦ, ଅଂଶଗ୍ରହଣକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଉତ୍ସବକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ଏହି ଉତ୍ସବ ସ୍ୱେଚ୍ଛାକୃତ କର ଅନୁପାଳନକୁ ପ୍ରୋତ୍ସାହନ ଦେବା ସହ ଏକ ସ୍ୱଚ୍ଛ, ଦକ୍ଷ ଓ କରଦାତା-ଅନୁକୂଳ କର ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଦିଗରେ ଆୟକର ବିଭାଗର ପ୍ରତିବଦ୍ଧତାକୁ ପୁନଃଦୃଢ଼ କରିଛି।
ଶ୍ରୀ ମୋହିତ ମୃଣାଳ, ଭା.ରା.ସେ.
ଆୟକର ଆୟୁକ୍ତ (ପ୍ରଶାସନ)
ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ, ଓଡ଼ିଶାଙ୍କ କାର୍ଯ୍ୟାଳୟ
