ଲଦ ଶିକକାଙ୍କ ଗିରଫଦାରୀକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ବିରୋଧ
ତୁରନ୍ତ ମୁକ୍ତି ଓ ନିୟମଗିରିର ସୁରକ୍ଷା ପାଇଁ ଦାବି
ବ୍ରହ୍ମପୁର, ୧୧.୦୯.୨୦୨୬:
ନିୟମଗିରିର ଜଳ, ଜମି, ଜଙ୍ଗଲ ଓ ଆଦିବାସୀଙ୍କ ଅଧିକାର ପାଇଁ ଦୀର୍ଘଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉଠାଇଆସୁଥିବା ଆଦିବାସୀ ନେତା ତଥା ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକକାଙ୍କ ଗିରଫଦାରୀକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ତୀବ୍ର ବିରୋଧ କରିଛି l ସୂଚନା ଯୋଗ୍ୟ ଯେ, ଆଗରୁ ଗିରଫ ଥିବା ଲଦ ସିକକା ଜାମିନ ପାଇ ଘରକୁ ଫେରୁଥିବା ବେଳେ ଅଧା ରାସ୍ତାରୁ ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂ ପୁର ଥାନା ପୋଲିସ ତାଙ୍କୁ ପୁଣି ଗିରଫ କରିଛି l ଏହାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ଼ ବିରୋଧ କରିବା ସହ ଆଜି ମଞ୍ଚର ଏକ ପ୍ରତନିଧି ଦଳ ଦକ୍ଷିଣାଞ୍ଚଳ ରାଜସ୍ଵ କମିସନରଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଆବାହକ ଅବନୀ ଗୟା କହିଛନ୍ତି ଯେ, ଶ୍ରୀ ଶିକକାଙ୍କ ବିରୋଧରେ କୌଣସି ଅଭିଯୋଗ ଥିଲେ ତାହାର ଆଇନସମ୍ମତ ତଦନ୍ତ କରାଯାଉ; କିନ୍ତୁ ତାଙ୍କ ଗିରଫଦାରୀର ପ୍ରକୃତ କାରଣ ଓ ଆଇନଗତ ଆଧାର ସରକାର ସ୍ପଷ୍ଟ କରିବା ଆବଶ୍ୟକ। ପେସା ଆଇନ, ୧୯୯୬ ଓ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଆଦିବାସୀଙ୍କ ଅଧିକାର ଓ ଜୀବିକା ସୁରକ୍ଷା ପାଇଁ ଗଣତାନ୍ତ୍ରିକ ଭାବେ ସ୍ୱର ଉଠାଇବାର ଅଧିକାରକୁ ସମ୍ମାନ କରାଯିବା ଉଚିତ। ଆଇନ ଅନୁଯାୟୀ ସ୍ଥାନୀୟ ଅଧିବାସୀ ଓ ଆଦିବାସୀ ସମାଜକୁ ଗ୍ରାମସଭାର ବିନା ମଞ୍ଜୁରୀରେ ତାଙ୍କୁ ତାଙ୍କ ବାସସ୍ଥାନ ବା ଭିଟାମାଟିରୁ କେହି ଉଚ୍ଛେଦ କରିପାରିବେ ନାହିଁ l କିନ୍ତୁ ରାଜ୍ୟ ସରକାର କର୍ପୋରେଟ ହାଉସର ସ୍ବାର୍ଥ ରକ୍ଷା ପାଇଁ ନିରୀହ ଆଦିବାସୀଙ୍କୁ ଏକ ପାଖିଆ ଭାବେ ପୋଲିସ୍ ବଳ ଲଗାଇ ବଳ ପୂର୍ବକ ଭାବେ ଅନ୍ୟାୟ ପୂର୍ବ ବିସ୍ଥାପନ କରିବାକୁ ଷଡ଼ଯନ୍ତ୍ର କରୁଛି l ମଞ୍ଚ ପକ୍ଷରୁ ଲଦ ଶିକକାଙ୍କୁ ତୁରନ୍ତ ମୁକ୍ତି, ଗିରଫଦାରୀର କାରଣ ସ୍ପଷ୍ଟୀକରଣ, ଘଟଣାର ନିରପେକ୍ଷ ତଦନ୍ତ ଏବଂ ନିୟମଗିରିର ଜଳ-ଜମି-ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାର ସୁରକ୍ଷା ପାଇଁ ଦାବି କରାଯାଇଛି। ଏହି ଦାବିଗୁଡ଼ିକ ଉପରେ ସରକାର ତୁରନ୍ତ ପଦକ୍ଷେପ ନ ନେଲେ, ମାନବ ଅଧିକାର ସୁରକ୍ଷା ମଞ୍ଚ ସମେତ ବିଭିନ୍ନ ଗଣତାନ୍ତ୍ରିକ ସଂଗଠନ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଶ୍ରୀ ଗୟା ସୂଚନା ଦେଇଛନ୍ତି। ଆଜି ମଞ୍ଚର ପ୍ରତିନିଧି ଦଳରେ ସମାଜସେବୀ ମନୋଜ କୁମାର ତରାଇ, ସଂଗଠକ ବିଜୟ କୁମାର ପାଢୀ,ସମ୍ପାଦକ ଗୁଣନିଧି ବେହେରା, ମହେଶ୍ୱର ବାଡତ୍ୟା ପ୍ରମୁଖ ରାଜସ୍ଵ ଆୟୁକ୍ତଙ୍କ ସଚିବ ବିରସେନ ପ୍ରଧାନଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l
