ଷ୍ଟାଣ୍ଡିଙ୍ଗ କମିଟିର ଷଷ୍ଠ ବୈଠକ
ମହେନ୍ଦ୍ରତନୟା ନଦୀରେ ଆନ୍ଧ୍ର
ଆବର୍ଜନା ପକାଇବା ଓ ପାରଳାଖେମୁଣ୍ଡିରେ ବନ ବିଭାଗର ଅତିଥି ଭବନ ପ୍ରସଙ୍ଗ ଉଠାଇଲେ ବିଧାୟକ ରୁପେଶ ପାଣିଗ୍ରାହୀ।
ଗଜପତି (ଟିକି ଲିମା)
ଓଡ଼ିଶା ବିଧାନସଭାର **“କମିଟି ଅନ୍ ପେପର୍ସ ଲେଡ୍ ଅନ୍ ଦ ଟେବୁଲ୍”**ର ୨୦୨୬-୨୭ ବର୍ଷର ଷଷ୍ଠ ବୈଠକ ଶୁକ୍ରବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର ରୁମ୍ ନମ୍ବର ୫୫ରେ ଅନୁଷ୍ଠିତ ହୋଇଛି। ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା।
କମିଟିର ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସଦସ୍ୟ ଛବି ମଲିକ, ଅଭିମନ୍ୟୁ ସେଠୀ, ଲକ୍ଷ୍ମଣ ବାଗ, ପ୍ରତାପ ଚନ୍ଦ୍ର ପ୍ରଧାନ, ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଓ ସତ୍ୟଜିତ ଗୋମାଙ୍ଗୋଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।
ବୈଠକ ସମୟରେ ପାରଳାଖେମୁଣ୍ଡି ଅଞ୍ଚଳ ସମ୍ପର୍କିତ ଏକ ପରିବେଶୀୟ ପ୍ରସଙ୍ଗ ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଉଠାଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଆନ୍ଧ୍ର ପ୍ରଦେଶ ପଟୁ ଆବର୍ଜନା ଆଣି ପାରଳାଖେମୁଣ୍ଡି ଉପକଣ୍ଠ ମହେନ୍ଦ୍ରତନୟା ନଦୀ ତଟ ଅଞ୍ଚଳରେ ପକାଯାଉଥିବାରୁ ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ଏହି ଘଟଣା ସମ୍ପର୍କରେ ପୂର୍ବରୁ ମଧ୍ୟ ଆନ୍ଧ୍ର ପ୍ରଶାସନକୁ ଅବଗତ କରାଯାଇଥିବା ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ବିଧାୟକ ଦର୍ଶାଇଥିଲେ।
ଏହି ପ୍ରସଙ୍ଗରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପରିବେଶ ବିଭାଗର ସମ୍ପୃକ୍ତ ଅଧିକାରୀ ମୋନଜ କୁମାର ନାହାକ ଙ୍କୁ ବିଧାୟକ ଅବଗତ କରାଇ ଆବଶ୍ୟକ ପଦକ୍ଷେପ ନେବା ଦିଗରେ ଗୁରୁତ୍ୱାରୋପ କରିଥିଲେ।
ସେହିପରି ପାରଳାଖେମୁଣ୍ଡି ସହର ମଧ୍ୟରେ ବନ ବିଭାଗ ପକ୍ଷରୁ ଏକ ଅତିଥି ଭବନ ନିର୍ମାଣ କରିବା ପ୍ରସଙ୍ଗ ମଧ୍ୟ ବିଧାୟକ ପାଣିଗ୍ରାହୀ ଉଠାଇଥିଲେ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ସେ ଦାବି ରଖିଥିବା ଜଣାପଡ଼ିଛି।
ବୈଠକରେ ୨୦୨୦-୨୧ ବର୍ଷର ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବାର୍ଷିକ ରିପୋର୍ଟ ପ୍ରକାଶରେ ହୋଇଥିବା ବିଳମ୍ବ ସମ୍ପର୍କିତ ବିଷୟ ମଧ୍ୟ ପରୀକ୍ଷା କରାଯାଇଥିଲା। ଏହା ସହିତ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ବନ ନିଗମର ବକେୟା ହିସାବ ଚୂଡ଼ାନ୍ତ କରିବାର ସ୍ଥିତି ରିପୋର୍ଟ ଉପରେ ମଧ୍ୟ କମିଟି ପକ୍ଷରୁ ଆଲୋଚନା ଓ ପରୀକ୍ଷା କରାଯାଇଥିଲା।
ବିଭିନ୍ନ ରିପୋର୍ଟ ପ୍ରକାଶ ଓ ହିସାବ ଚୂଡ଼ାନ୍ତ ପ୍ରକ୍ରିୟାରେ ବିଳମ୍ବ କିମ୍ବା ଅଗ୍ରଗତି ନହେବାର କାରଣ ସମ୍ପର୍କରେ ମଧ୍ୟ କମିଟି ପକ୍ଷରୁ ବିଭାଗୀୟ ଅଧିକାରୀଙ୍କଠାରୁ ତଥ୍ୟ ନିଆଯାଇଥିଲା।
ପାରଳାଖେମୁଣ୍ଡିର ମହେନ୍ଦ୍ରତନୟା ନଦୀର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସହିତ ସହରରେ ଆବଶ୍ୟକ ବନ ବିଭାଗୀୟ ସୁବିଧା ବିକାଶ ପ୍ରସଙ୍ଗ ବିଧାନସଭା କମିଟିରେ ଉଠିବା ଦ୍ୱାରା ଏହା ଆଗାମୀ ଦିନରେ ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି।
