ତିନି ଛୁଆର ବାପା ନାବାଳିକାଙ୍କୁ ନେଇ ଫେରାର
ଆଗରପଡ଼ା,(ନିପ୍ର) ତିନି ଛୁଆର ବାପା ଜନୈକା ନାବାଳିକାଙ୍କୁ ନେଇ ଫେରାର ହୋଇଯାଇଛି।ଆଗରପଡ଼ା ଥାନାଧିକାରୀ ରାଜେଶ ସେଠୀ ଅଭିଯୋଗ ପାଇ ତୁରନ୍ତ ସନ୍ଦୀଗ୍ଧ ସ୍ଥାନ ଅତର୍କିତ ଚଢ଼ାଉ କରିଥିଲେ ସୁଦ୍ଧା ଅପହର୍ତ୍ତା,ନାବାଳିକାଙ୍କୁ ନେଇ କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।ଅପହୃତାଙ୍କୁ ଉଦ୍ଧାର ପାଇଁ ଥାନାଧିକାରୀ ଉଦ୍ୟମ ଜାରି ରଖିଛନ୍ତି । ସୂଚନାନୁଯାୟୀ, ଅପହର୍ତ୍ତା ଜଣଙ୍କ ଘର ସୋର ଥାନା ମାଖନପୁର ଅଞ୍ଚଳରେ । ସେ କିଛିବର୍ଷ ତଳେ ଆଗରପଡ଼ା ଥାନା ଅନ୍ତର୍ଗତ ବଡ଼ମହିଁଷଗୋଠ ପଞ୍ଚାୟତ ଘଣ୍ଟଗଡ଼ିଆ ଗ୍ରାମରେ ବିବାହ କରିଥିଲେ । ତେଣୁ ସେ ଶ୍ଵଶୁର ଘରକୁ ବାରମ୍ବାର ଯାଆ ଆସ କରୁଥିଲେ । ଏହି ଯାଆଆସ ଭିତରେ ଶୂଶୁର ଘର ନିକଟସ୍ଥ ଏକ ଗ୍ରାମର ଜନୈକା ନାବାଳିକାଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମ ଜାଲରେ ଫସାଇ ତାଙ୍କୁ ଅପହରଣ କରିନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ସଂପର୍କରେ ଥାନା କେସ ନଂ-୧୬୩/୨୬ରେ ମାମଲା ରୁଜ୍ଜୁ କରି ପୋଲିସ ଅଧିକ ତଦନ୍ତ ଜାରୀ ରଖିଛି । ଅପହର୍ତ୍ତାଙ୍କର ତିନୋଟି ଛୋଟ ଝିଅ ଓ ସ୍ତ୍ରୀ ଥିବାର ଜଣାପଡ଼ିଛି।
