ଟ୍ରେନ ଆଗକୁ ଡେଇଁ ଯୁବକ ଙ୍କ ଆତ୍ମହତ୍ୟା।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଟ୍ରେନ ରେ କଟି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି। ସୋର ରେଳ ଷ୍ଟେସନ୍ ନିକଟସ୍ଥ ଡାଉନ-ଲାଇନ୍ ୫୦୦ ମିଟର ଦୂର ରେ ଏଭଳି ଅଭାବନୀୟ ଘଟଣା ଘଟିଛି।ସ୍ଥାନୀୟ ଆରପିଏଫ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ଦ୍ଵିପ୍ରହର ୧.୩୦ ମିନିଟ୍ ସମୟରେ ଟ୍ରେନ ନମ୍ବର ୧୨୨୪୬ ବେଙ୍ଗାଲୁର -ହାୱଡା ଦୂରନ୍ତ ସୁପରଫାଷ୍ଟ ସୋର ଷ୍ଟେସନ୍ ଅତିକ୍ରମ କରୁଥିବା ସମୟରେ ଡାଉନ-ଲାଇନ୍ ୨୬୩/୩୦ ନିକଟରେ ଜଣେ ଅଜଣା ବ୍ୟକ୍ତି ବୟସ ପାଖାପାଖି ୫୦ ଟ୍ରେନ ଆଗକୁ ଡେଇଁ ପଡ଼ିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ବରଣ କରିଥିଲେ। ଖବର ପାଇ ସୋର ଆରପିଏଫ ଫାଣ୍ଡିର ଏ ଏସ ଆଇ ଦେବେନ୍ଦ୍ର କୁମାର ମିଶ୍ର ପହଞ୍ଚି ଏ ବିଷୟରେ ସୋର ଷ୍ଟେସନ ପ୍ରବନ୍ଧକଙ୍କ ସହ ବାଲେଶ୍ଵର ଜିଆରପିଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରୁ ଏକ ବ୍ୟାଗରେ ପ୍ୟାଣ୍ଟ ସାର୍ଟ ସହ ମୋବାଇଲ୍ ମିଳିବା ପରେ ସମ୍ପୃକ୍ତ ମୃତ ବ୍ୟକ୍ତି ଅନନ୍ତପୁର ଥାନା ଅନ୍ତର୍ଗତ ଦୟାନିଧିପୁରର ସ୍ବର୍ଗତ ବାଇଧର ନାୟକଙ୍କ ପୁଅ ରମେଶ ଚନ୍ଦ୍ର ନାୟକ ବୋଲି ପୋଲିସ ସୂଚନା ଦେଇଛି। ଜିଆରପି ପୋଲିସ ଘଟଣାସ୍ଥଳରେ ପହଂଚି ରମେଶଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ନେଇଯାଇଛନ୍ତି। ଏ ସମ୍ପର୍କରେ ଜିଆରପି ୬୯/୨୬ ମୂଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। କେଉଁ ପରିସ୍ଥିତିରେ ରମେଶ ଟ୍ରେନ ଆଗକୁ ଡେଇଁ ପଡିଲେ ତାହା ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।
