ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ପରେ ସମାଧାନ, ୪ ଦିନ ପରେ ଏସ୍ଏମ୍ସି ସଭାପତିଙ୍କ ବିରୋଧରେ ଛାତ୍ରଛାତ୍ରୀଙ୍କ ଧାରଣାl
ଗଜପତି (ଟିକି ଲିମା)
ପ୍ଲାକାର୍ଡ ଧରି ତିନି ଘଣ୍ଟା ନାରାବାଜି; ଧାରଣା ସମୟରେ ଶିକ୍ଷକଙ୍କ ଉପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ
ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଧୀନସ୍ଥ ଏକ ପିଏମ୍ଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସ୍ଏମ୍ସି ସଭାପତିଙ୍କ ପରିବାରକୁ ନେଇ ଉପୁଜିଥିବା ବିବାଦ ଏବେ ନୂଆ ମୋଡ଼ ନେଇଛି। ଗତ ୧୮ ତାରିଖରେ ସଭାପତିଙ୍କ ଝିଅଙ୍କୁ ବିଦ୍ୟାଳୟର ଦୁଇ ଶିକ୍ଷକ ଅରୁଚିକର ଓ ଅଶାଳୀନ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ଥାନାରେ ଅଭିଯୋଗ ପରେ ଶିକ୍ଷକମାନଙ୍କ ପକ୍ଷରୁ ଲିଖିତ ଭାବେ ଭୁଲ ସ୍ୱୀକାର କରାଯାଇଥିବା ଏବଂ ଉଭୟ ପକ୍ଷ ମଧ୍ୟରେ ସମାଧାନ ହୋଇଥିବା ସୂଚନା ମିଳିଛି।
ତେବେ ଘଟଣାର ପ୍ରାୟ ଚାରି ଦିନ ପରେ ପୁଣି ଥରେ ବିଦ୍ୟାଳୟ ପରିସରରେ ଏକ ନୂଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନା ଅନୁସାରେ, ବହୁ ସଂଖ୍ୟକ ଛାତ୍ରଛାତ୍ରୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ପ୍ରାୟ ତିନି ଘଣ୍ଟା ଧରି ପ୍ଲାକାର୍ଡ ଧରି ଏସ୍ଏମ୍ସି ସଭାପତିଙ୍କ ବିରୋଧରେ ବିଭିନ୍ନ ନାରା ଦେଇଥିବା ଅଭିଯୋଗ ହୋଇଛି।
ତେବେ ଏହି ଘଟଣାର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଏତେ ସମୟ ଧରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଉଥିବା ବେଳେ ବିଦ୍ୟାଳୟର ଶିକ୍ଷକମାନେ ସେଠାରେ ଉପସ୍ଥିତ ଥିଲେ କି? ଯଦି ଉପସ୍ଥିତ ଥିଲେ, ତେବେ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ଏହି ଧାରଣାକୁ କାହିଁକି ନିୟନ୍ତ୍ରଣ କରାଗଲା ନାହିଁ? ଛାତ୍ରଛାତ୍ରୀଙ୍କ ଏହି ଧାରଣା ଏତେ ବଡ଼ ଆନ୍ଦୋଳନର ରୂପ ନେବା ପଛରେ ଶିକ୍ଷକମାନଙ୍କ ଭୂମିକା କଣ ଥିଲା—ତାହା ନେଇ ଏବେ ପ୍ରଶ୍ନ ଉଠିଛି।
ବିଦ୍ୟାଳୟ ହେଉଛି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ଗଢ଼ିବାର ସ୍ଥାନ। କୌଣସି ପରିଚାଳନାଗତ କିମ୍ବା ବ୍ୟକ୍ତିଗତ ବିବାଦର ପ୍ରଭାବ ଯେପରି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ନ ପଡ଼େ, ସେଥିପାଇଁ ଶିକ୍ଷକମାନଙ୍କ ଦାୟିତ୍ୱ ଅଧିକ। ତେଣୁ ଛାତ୍ରଛାତ୍ରୀଙ୍କ ଧାରଣା ସମୟରେ ଶିକ୍ଷକମାନଙ୍କ ଭୂମିକା କ’ଣ ଥିଲା, ସେନେଇ ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଏପରିକି, ପୂର୍ବ ଘଟଣାରେ ଶିକ୍ଷକମାନଙ୍କ ପକ୍ଷରୁ ଲିଖିତ ଭୁଲ ସ୍ୱୀକାର ପରେ ଯଦି ବିଷୟଟିର ସମାଧାନ ହୋଇଥିଲା, ତେବେ ମାତ୍ର ଚାରି ଦିନ ପରେ ଛାତ୍ରଛାତ୍ରୀଙ୍କୁ ନେଇ ଏଭଳି ଧାରଣା କାହିଁକି ହେଲା? ଛାତ୍ରଛାତ୍ରୀମାନେ ନିଜସ୍ୱ ଭାବେ ଏହି ପଦକ୍ଷେପ ନେଇଥିଲେ ନା ଏହା ପଛରେ ଅନ୍ୟ କାହାରୋ ପ୍ରଭାବ ଥିଲା—ଏହି ପ୍ରଶ୍ନର ଉତ୍ତର ମଧ୍ୟ ତଦନ୍ତରେ ସାମ୍ନାକୁ ଆସିବା ଦରକାର।
ଅନ୍ୟପକ୍ଷରେ, ଏସ୍ଏମ୍ସି ସଭାପତିଙ୍କ ପକ୍ଷରୁ ବିଦ୍ୟାଳୟର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ନେଇ ନିୟମ ଅନୁସାରେ ପଦକ୍ଷେପ ନିଆଯାଉଥିବା ନେଇ ଆଲୋଚନା ରହିଛି। ତେବେ ଏହାକୁ ନେଇ ଶିକ୍ଷକ ଓ ଏସ୍ଏମ୍ସି ମଧ୍ୟରେ କୌଣସି ମତଭେଦ ରହିଛି କି ନାହିଁ, ସେନେଇ ମଧ୍ୟ ସ୍ପଷ୍ଟତା ଆବଶ୍ୟକ।
ସମଗ୍ର ଘଟଣାରେ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ନିରପେକ୍ଷ ଭାବେ ତଦନ୍ତ କରି ଧାରଣାର ଆବଶ୍ୟକତା କାହିଁକି ପଡ଼ିଲା, ଛାତ୍ରଛାତ୍ରୀଙ୍କୁ ଏଥିରେ କିଏ ନେତୃତ୍ୱ ଦେଲା, ଏବଂ ଶିକ୍ଷକମାନେ ଉପସ୍ଥିତ ଥିଲେ ତାଙ୍କ ଭୂମିକା କଣ ଥିଲା—ତାହା ସ୍ପଷ୍ଟ କରିବା ସହ ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ସ୍ୱାଭାବିକ ରଖିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ।
