ବ୍ରହ୍ମପୁର ଉପଖଣ୍ଡ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ
ବ୍ରହ୍ମପୁର,ତା.୨୧.୦୯.୨୦୨୬ ରିଖ : ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନର ନିରବଚ୍ଛିନ୍ନ ପ୍ରକ୍ରିୟା ପରେ ବ୍ରହ୍ମପୁର ଉପଖଣ୍ଡରେ ବହୁ ପ୍ରତୀକ୍ଷିତ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି l ଏଥିନିମନ୍ତେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ନିର୍ବାଚନ ଉପବିଭାଗ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉପ ଜିଲ୍ଲାପାଳ ଅବିନାଶ କୁମାର (ଆଇ.ଏ.ଏସ୍)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଇ.ଆର୍.ଓ ଏବଂ ଏ.ଇ.ଆର୍.ଓ ଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଗଣ ଉପସ୍ଥିତ ଥିଲେ l ଏହି ସଂଶୋଧନ ପ୍ରକ୍ରିୟାରେ ସାମିଲ୍ ଥିବା ବୁଥ୍ ସ୍ତରୀୟ ଅଧିକାରୀ, ବୁଥ୍ ସ୍ତରୀୟ ଏଜେଣ୍ଟ, ନିର୍ବାଚ଼ନ ପଞ୍ଜିକରଣ ଅଧିକାରୀ, ନିର୍ବାଚ଼ନ ଅଧିକାରୀ ଏବଂ କର୍ମଚାରୀମାନଙ୍କ ନିରବଚ୍ଛିନ୍ନ ଉଦ୍ୟମ ଏବଂ ଅକ୍ଲାନ୍ତ ପରିଶ୍ରମ ନିମନ୍ତେ ଉପ ଜିଲ୍ଲାପାଳ ସେମାନଙ୍କୁ ଧନ୍ୟବାଦ ଦେବା ସହ ସେମାନଙ୍କର ନିଷ୍ଠା ପ୍ରତି ସାଧୁବାଦ ଜଣାଇଥିଲେ l
ଏହି ସଂଶୋଧନ ପ୍ରକ୍ରିୟାରେ ଯୋଗ୍ୟ ଯୁବ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରିବା ପାଇଁ ବିଶେଷ ଉଦ୍ୟମ କରାଯାଇଛି l ଉକ୍ତ ବୈଠକରେ ଏ.ଡି.ଏମ୍ ସୁନିଲ୍ କୁମାର କେର୍କେଟା, ମହାନଗର ନିଗମ ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା, ଅତିରିକ୍ତ ଉପ ଜିଲ୍ଲାପାଳ ରୀନା କୁମାରୀ ନାଏକ, ଡେପୁଟି କଲେକ୍ଟର ଅଲେଖ ରଞ୍ଜନ ମହାଙ୍କୁଡ଼, ସୁବ୍ରତ ଶତପଥି, ତହସିଲଦାର ରାକେଶ କୁମାର ପରିଡ଼ାଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ l
