*କୁଲିଆରୀରେ ଯୁକ୍ତିଗତ ତ୍ରୁଟି ସମ୍ବନ୍ଧୀୟ ଶୁଣାଣି ଶିବିର: ୨୪୮ରୁ ଅଧିକ ନୋଟିସ ପ୍ରାପ୍ତ ଭୋଟରଙ୍କ ଦଲିଲ ଯାଞ୍ଚ* ।
ବରଗଡ :୨୭/୦୭(ନି ପ୍ର )ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର କୁଲିଆରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସହକାରୀ ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲକ୍ଷ୍ମଣ ମାଝୀଙ୍କ ନେତୃତ୍ୱରେ ଯୁକ୍ତିଗତ ତ୍ରୁଟି ସମ୍ବନ୍ଧୀୟ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଣାଣି ଶିବିରରେ ବିଭିନ୍ନ ପ୍ରକାର ଯୁକ୍ତିଗତ ତ୍ରୁଟି ସମ୍ବନ୍ଧରେ ନୋଟିସ ପାଇଥିବା ୨୪୮ରୁ ଅଧିକ ଭୋଟରଙ୍କ ଆବେଦନ ଓ ଦଲିଲପତ୍ରର ଯାଞ୍ଚ କରାଯାଇଥିଲା। କୁଲିଆରୀ, କଟାବାହାଲ, କେନ୍ଦୁମାଲ, ଜୁବାଖୋଲ, ପରମାନନ୍ଦପୁର ଓ ଡଙ୍ଗରମୁଣ୍ଡା ଆଦି ଗ୍ରାମର ଭୋଟରମାନେ ନିଜର ଭୋଟର ପରିଚୟପତ୍ର, ରାସନ କାର୍ଡ, ଆର୍.ଓ.ଆର୍. (ଜମି ରେକର୍ଡ) ସହ ବିଭିନ୍ନ ଆବଶ୍ୟକ ଦଲିଲ ଉପସ୍ଥାପନ କରିଥିଲେ। ସମସ୍ତ ଦଲିଲର ଯାଞ୍ଚ ପରେ ନିୟମାନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଇଥିଲା।କାର୍ଯ୍ୟକ୍ରମରେ ପିଇଓ କାର୍ତ୍ତିକେଶ୍ୱର ବେହେରା, ବୁଥ୍ ସ୍ତରୀୟ ଅଧିକାରୀଙ୍କ ପରିଦର୍ଶକ ପ୍ରଶାନ୍ତ ଦୀପ ଏବଂ ବୁଥ୍ ସ୍ତରୀୟ ଅଧିକାରୀ ଦଶରଥ ବରିହା, ରଞ୍ଜନ ମେହେର, ପ୍ରହଲ୍ଲାଦ ବରିହା, ବିଜୟ କୁମାର ସାହୁ, ପ୍ରମୋଦ କୁମାର ବଢେଇ, ଜଗନ୍ନାଥ ବରିହା ଓ ଜବାହରଲାଲ ବରିହା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳିତ କରିଥିଲେ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବ୍ଲକ ସ୍ତରରେ ଏକ ସ୍ଥାନରେ ଶୁଣାଣି କରିବା ପରିବର୍ତ୍ତେ ପଞ୍ଚାୟତ ସ୍ତରରେ ଏହି ଶୁଣାଣି ଆୟୋଜନ କରାଯାଇଥିଲା। ଫଳରେ ଗ୍ରାମବାସୀଙ୍କୁ ଦୂରଦୂରାନ୍ତରୁ ଯାତାୟାତ କରିବାକୁ ପଡ଼ିନଥିଲା ଏବଂ ସେମାନେ ବର୍ଷାଜନିତ ଅସୁବିଧାରୁ ମଧ୍ୟ ରକ୍ଷା ପାଇଥିଲେ। ବିଡିଓ ଶ୍ରୀ ଲକ୍ଷ୍ମଣ ମାଝୀଙ୍କ ଏହି ଜନହିତକର ପଦକ୍ଷେପକୁ ସ୍ଥାନୀୟ ଲୋକେ ଭୂୟସୀ ପ୍ରଶଂସା କରିଥିଲେ।
