*ମଦ ପାଇଁ ସହଜ, ଚାଷୀଙ୍କ ପାଇଁ କଠିନ: ନୂଆପଡ଼ା ଜିଲ୍ଲାରେ ସରକାରୀ ନିୟମକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୧୧/୦୭
ନୂଆପଡ଼ା ଜିଲ୍ଲାରେ ଚାଷୀମାନଙ୍କ ପ୍ରତି ପ୍ରଶାସନିକ ଅନ୍ୟାୟ ହେଉଥିବା ନେଇ ଏବେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲାର କୃଷକ ମହଲରେ “ମଦ ପାଇଁ ସହଜ, ଚାଷୀ ପାଇଁ କଠିନ” ନୀତିକୁ ନେଇ ଅସନ୍ତୋଷର ନିଆଁ ଜଳୁଛି।ଅଭିଯୋଗ ଅନୁଯାୟୀ, ଜିଲ୍ଲାରେ ମଦ କିଣିବା ପାଇଁ କୌଣସି ପ୍ରକାରର କାଗଜପତ୍ର, ଆଧାର କାର୍ଡ କିମ୍ବା ପରିଚୟ ପତ୍ରର ଆବଶ୍ୟକତା ପଡୁନାହିଁ। ମଦ ଗ୍ରାହକମାନେ ଅତି ସହଜରେ ବିନା କୌଣସି ପ୍ରମାଣପତ୍ରରେ ମଦ ପାଇପାରୁଛନ୍ତି। ଅପରପକ୍ଷରେ, ଦେଶର ଅନ୍ନଦାତା କୁହାଯାଉଥିବା ନୂଆପଡ଼ାର ଗରିବ ଚାଷୀଟିଏ ନିଜ ଜମି ପାଇଁ ମୁଠାଏ ଡିଏପି (DAP) କିମ୍ବା ୟୁରିଆ ସାର କିଣିବାକୁ ଗଲେ ଶହେ ପ୍ରକାର ନିୟମର ସାମ୍ନା କରିବାକୁ ପଡୁଛି। ସାର ପାଇଁ ଚାଷୀଙ୍କ ନିମନ୍ତେ ଆଧାର କାର୍ଡ, ଜମି ପଟ୍ଟା, କୃଷକ ପଞ୍ଜୀକରଣ (Farmer Registration) ଏବଂ ଅନ୍ୟାନ୍ୟ କାଗଜପତ୍ର ବାଧ୍ୟତାମୂଳକ କରାଯାଇଛି। କାଗଜପତ୍ର ସାମାନ୍ୟ ତ୍ରୁଟି ଥିଲେ ଚାଷୀଙ୍କୁ ସାର ମିଳୁନାହିଁ।ଏହାକୁ ନେଇ ନୂଆପଡ଼ା ଜିଲ୍ଲାର ସ୍ଥାନୀୟ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି ଯେ, “ଏହା କେମିତି ନିୟମ? କାହିଁକି ଚାଷୀଙ୍କ ପ୍ରତି ଏଭଳି ଅନ୍ୟାୟ କରାଯାଉଛି?” ଚାଷ କାର୍ଯ୍ୟ ପାଇଁ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇବାକୁ ଚାଷୀଙ୍କୁ ଲମ୍ବା ଲାଇନରେ ଠିଆ ହେବାକୁ ପଡୁଥିବା ବେଳେ ମଦ ପାଇଁ ନିୟମ କୋହଳ ହେବା ଚାଷୀ ସମାଜ ପ୍ରତି ଏକ ବଡ଼ କଟାକ୍ଷ। ଜିଲ୍ଲା ପ୍ରଶାସନ ଏବଂ ସରକାର ଏହି ବ୍ୟବସ୍ଥାରେ ସୁଧାର ଆଣି ଚାଷୀଙ୍କୁ ସହଜରେ ସାର ଯୋଗାଇ ଦେବାକୁ ନୂଆପଡ଼ା ଜିଲ୍ଲା ଚାଷୀ ସଂଗଠନ ଦାବି କରିଛି।
