ରାଜସ୍ୱ କ୍ୱାର୍ଟର ନିର୍ମାଣ ପାଇଁ ପ୍ରଶାସନର ବିଚିତ୍ର ମାନସିକତା
ବରଗଡ଼ ମହିଳା ସମିତିର ଐତିହ ସମ୍ପନ୍ନ ପୁରୁଣା କୋଠା ବଳି ପଡିବ ନାହିଁ : ସୁରେଶ ପୁଝାରୀ
ବରଗଡ଼ :୧୧/୦୭(ନି.ପ୍ର.) – ସ୍ଥାନୀୟ ଗାନ୍ଧୀ ପାର୍କ ସଂଲଗ୍ନ ରେଭେନ୍ୟୁ କଲୋନୀରେ ନୂତନ କ୍ୱାର୍ଟର ନିର୍ମାଣ ପାଇଁ ବରଗଡ଼ ମହିଳା ସମିତିର ପୁରୁଣା କୋଠାକୁ ମଧ୍ୟ ପ୍ରଶାସନ ଅକ୍ତିଆର କରିବା ଭଳି ବିଚିତ୍ର ମାନସିକତା ଦେଖିବାକୁ ମିଳିଛି। ଏଥିପ୍ରତି ସମିତି ପକ୍ଷରୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଶୁକ୍ରବାର ଦିନ ଅନୁଷ୍ଠିତ ବୁଦ୍ଧିଜୀବୀ ସମ୍ମିଳନୀକୁ ନିମନ୍ତ୍ରିତ ହୋଇ ଯାଇଥିବା ମହିଳା ସମିତିର ଏକ ପ୍ରତିନିଧି ଦଳ ଏ ନେଇ ଲିଖିତ ଭାବେ ମନ୍ତ୍ରୀ ଶ୍ରୀ ପୁଝାରୀ ଙ୍କ ଠାରେ ଅଭିଯୋଗ କରି ସାମୁହିକ କଲ୍ୟାଣ ଉଦ୍ଦେଶ୍ୟରେ ବରଗଡ଼ ମହିଳା ସମିତିର ନାମରେ ଜମିର ପଞ୍ଜୀକରଣ ଏବଂ ପୁରୁଣା କୋଠାର ସୁରକ୍ଷା ପାଇଁ ଅନୁରୋଧ ଜଣାଇଥିଲେ। ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରଶାସନର ଏଭଳି ମସୁଧାରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସାଙ୍ଗକୁ ମହିଳା ସମିତିର ଐତିହ ସମ୍ପନ୍ନ ପୁରୁଣା କୋଠାକୁ ସରକାରୀ କ୍ୱାର୍ଟର ନିର୍ମାଣ ପାଇଁ କଦାପି ବଳି ଦିଆଯିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ଏଥିପାଇଁ ନିଶ୍ଚିନ୍ତ ରହିବାର ଆଶ୍ୱାସନା ଦେଇଥିଲେ। ଏହା ସାଙ୍ଗକୁ ଦୀର୍ଘ ୪୦ ବର୍ଷ ଧରି ଅଞ୍ଚଳର ମହିଳାମାନଙ୍କର ସାମାଜିକ, ଆର୍ଥିକ ସଶକ୍ତିକରଣ, ଦକ୍ଷତା ବିକାଶ ଏବଂ ସାମୁହିକ କଲ୍ୟାଣ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରିଆସୁଥିବା ବରଗଡ଼ ମହିଳା ସମିତି ନାମରେ ଉକ୍ତ ଜମି ପଞ୍ଜିକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।
ସମିତି ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ସମ୍ପ୍ରତି, ପ୍ରସ୍ତାବିତ ନୂତନ ରାଜସ୍ୱ କଲୋନୀ ପାଇଁ ସମିତିର ପଛପଟ ପାଚେରୀକୁ ଭାଙ୍ଗି ଜୋର୍ ଜବରଦସ୍ତି ପିଡବ୍ଲୁଡି ଦ୍ୱାରା ଦଖଲ କରାଯାଇଛି। ଏପରିକି ଏ ସମ୍ପର୍କରେ ସମିତିକୁ ଜଣାଇବାର ସର୍ବନିମ୍ନ ସୌଜନ୍ୟତା ମଧ୍ୟ ରକ୍ଷା କରାଯାଇନଥିଲା। ଏବେ ପୁରୁଣା କୋଠା ଉପରେ ପ୍ରଶାସନର ନଜର ରହିଛି। ଯାହା ପାଇଁ ଆମର ସୁରକ୍ଷା ବିପଦରେ ଥିବା ଅନୁଭବରେ ଆମେ ଚିନ୍ତିତ ଓ ପିଡ଼ାଗ୍ରସ୍ତ ବୋଲି ସମିତି ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ସେଥିରେ କୁହାଯାଇଛି, ବରଗଡ଼ ମହିଳା ସମିତି ପଶ୍ଚିମ ଓଡ଼ିଶାର ସର୍ବପୁରାତନ ମହିଳା ସଂଗଠନ ମଧ୍ୟରୁ ଅନ୍ୟତମ। ଏହା ୧୯୮୭ ମସିହାରେ ବରଗଡ଼ ଜିଲ୍ଲାର ଗର୍ବ ଜନସାଥୀ ଲେଙ୍ଗୁ ମିଶ୍ରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା। ଏହାର ସମସ୍ତ ପ୍ରତିଷ୍ଠାତା ସଦସ୍ୟ ବରଗଡ଼ର ପ୍ରସିଦ୍ଧ ସାମାଜିକ ଭାବରେ ସକ୍ରିୟ ପରିବାରର। ତତ୍କାଳୀନ ଏସଡିଓ ଏବଂ ତହସିଲଦାର ଏହି ପ୍ଲଟକୁ ସାମାଜିକ ସ୍ୱୀକୃତି ସହିତ ମହିଳା ସମିତିକୁ ପ୍ରଦାନ କରିଥିଲେ। ପ୍ରଥମ କୋଠା ନିର୍ମାଣ ପାଇଁ ବରଗଡ଼ ପୌରପାଳିକା କିଛି ପାଣ୍ଠି ପ୍ରଦାନ କରିଥିଲେ ଏବଂ ବାକି ଅର୍ଥ ଜନସାଧାରଣଙ୍କ ଦାନ ଦ୍ୱାରା ବ୍ୟବସ୍ଥା କରାଯାଇଥିଲା। ପର୍ଯ୍ୟାପ୍ତ ପାଣ୍ଠି ନ ଥିବାରୁ ସ୍ୱର୍ଗତ ଲେଙ୍ଗୁ ମିଶ୍ରଙ୍କ ସମେତ ସମସ୍ତ ଶୁଭେଚ୍ଛୁ ଏବଂ ପ୍ରତିଷ୍ଠାତା ସଦସ୍ୟ ଏହି କୋଠା ନିର୍ମାଣ ପାଇଁ ସେମାନଙ୍କର ସମୟ ଏବଂ ଶାରୀରିକ ଶ୍ରମ ଦେଇଥିଲେ। ତେଣୁ ଏହି କୋଠା ବରଗଡ଼ର ଏକ ଐତିହାସିକ ସୃଷ୍ଟି ଏବଂ ଏହାକୁ ଯେକୌଣସି ମୂଲ୍ୟରେ ସଂରକ୍ଷଣ କରାଯିବା ଉଚିତ ବୋଲି ସମିତି ପକ୍ଷରୁ କୁହାଯାଇ ବର୍ତ୍ତମାନ ପରିସ୍ଥିତିର ତୁରନ୍ତ ସମାଧାନ କରାନଗଲେ, ଏହା ଆମର କଲ୍ୟାଣମୂଳକ କାର୍ଯ୍ୟକଳାପକୁ ଗୁରୁତର ଭାବରେ ବାଧା ଦେବ ଏବଂ ଏହି ସ୍ଥାନ ବ୍ୟବହାର କରୁଥିବା ମହିଳାମାନଙ୍କ ସୁରକ୍ଷାକୁ ବିପଦରେ ପକାଇବ ବୋଲି କୁହାଯାଇଛି। ତେଣୁ ସମିତିର ପୁରୁଣା କୋଠାର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ମନ୍ତ୍ରୀଙ୍କୁ ନିବେଦନ କରାଯାଇ ଜିଲ୍ଲା କଲେକ୍ଟର ଏବଂ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା। ଦାବିପତ୍ର ପ୍ରଦାନ ସମୟରେ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଇରାଷିଶ ଆଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ବରଗଡ଼ ମହିଳା ସମିତିର ସଭାନେତ୍ରୀ ମନ୍ଦାକିନୀ ପତି, ସମ୍ପାଦିକା ରିନୁ ପତି, ବରିଷ୍ଠ ସଦସ୍ୟା ମମତା ମିଶ୍ର, ଅଞ୍ଜନା ଦାସ, ସୁଧାଂଶୁବାଲା ଦାଶ, ଭାଗ୍ୟଲକ୍ଷ୍ମୀ ଦୋରା, ଲକ୍ଷ୍ମୀପ୍ରୀୟା ପାଣିଗ୍ରାହୀ, ଡ ସୁଜାତା ପଣ୍ଡା ପ୍ରମୁଖ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
