ଆମ୍ବୁଲାନ୍ସରେ ନାବାଳିକାଙ୍କ ମୃତ୍ୟୁ ଘଟଣା
ରାଜରାସ୍ତାକୁ ଓହ୍ଲାଇଲା ବିଜୁ ଜନତା ଦଳ
ମୃତକଙ୍କୁ ୫୦ଲକ୍ଷ କ୍ଷତିପୂରଣ ଓ ଦାୟୀ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ଭବାନୀପାଟଣା,୧୦/୦୭ (କିଶନ ଶର୍ମା)- ପରିଚାଳନାଗତ ତ୍ରୁଟି ଓ ଅବହେଳା ଯୋଗୁଁ ଅଧାରାସ୍ତାରେ ଆମ୍ବୁଲାନ୍ସ ଟାୟାର ପମ୍ପଚର ହେବା ଓ ଷ୍ଟେପିନୀ ଟାୟାର କାମ ନଦେବା ଫଳରେ ଆମ୍ବୁଲାନ୍ସରେ ଜଣେ କୁନିଝିଅର ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛି ବିଜୁ ଜନତାଦଳ। କଳାହାଣ୍ଡି ଜିଲ୍ଲା
ନର୍ଲା ବ୍ଲକ ତୁଳାପଡ଼ାର ଡିଙ୍ଗର ନାଏକଙ୍କ ମୃତ ନାବାଳିକା ଝିଅ ରିୟା ନାଏକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା , ଏହାର କଳାହାଣ୍ଡି ଜିଲ୍ଲା ଅଧିକାରୀ ଓ ଅବହେଳା ପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ଦଳ। ରାଜ୍ୟରେ ବିଜେପି ସରକାର ଦୁଇବର୍ଷ ପୂର୍ତ୍ତି ଉତ୍ସବ ପାଳନରେ ବ୍ୟସ୍ତ ଥିବାବେଳେ କଳାହାଣ୍ଡି ଜିଲ୍ଲାରେ ବିକାଶର ଧାରା ବହିବା ପରିବର୍ତ୍ତେ ସ୍ୱାସ୍ଥ୍ୟସେବାର ଏକ ବିକଳ ଚିତ୍ର ନଜରକୁ ଆସିଛି। ବିଜୁ ଜନତା ଦଳ ସରକାର ସମୟରେ ୨୪×୭ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ପରିଚାଳନାଗତ ଅପାରଗତା ଯୋଗୁଁ ଜିଲ୍ଲାର ନର୍ଲା ବ୍ଲକ ତୁଳାପଡ଼ା ଗାଁର ଡିଙ୍ଗର ନାଏକଙ୍କ ନାବାଳିକା ଝିଅ ରିୟା ନାଏକ(୧୧)ଙ୍କ ଜୀବନ ଯାଇଛି। ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଉଥିବାବେଳେ ଆମ୍ବୁଲାନ୍ସର ଟାୟାର ପମ୍ପଚର ହେବା, ଦୁର୍ବଳ ଷ୍ଟେପିନୀ ଟାୟାର କାମ ନଦେବା ଭଳି ପରିସ୍ଥିତି ଯୋଗୁଁ ଦୀର୍ଘ ତିନିଘଣ୍ଟା ଆମ୍ବୁଲାନ୍ସରେ ପଡ଼ି ନାବାଳିକା ଜୀବନ ହାରିବା ସମଗ୍ର ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି। ଆମ୍ବୁଲାନ୍ସର ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ସେମାନଙ୍କ ଅଧିକାରୀ ଓ କର୍ମଚାରୀ ତଥା ସେମାନଙ୍କୁ ମନିଟରିଂ କରିବାରେ ଅବହେଳା ଯୋଗୁଁ ଏଭଳି ଅମାନବୀୟ ଘଟଣା ଘଟିଲା ବୋଲି ଅଭିଯୋଗ କରିଛି ଦଳ। ସ୍ୱାସ୍ଥ୍ୟବିଭାଗ ତଥା ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥାର ଏହି ଗୁରୁତର ତ୍ରୁଟି ଓ ଅବହେଳା ଅକ୍ଷମଣୀୟ ବୋଲି କହିବା ସହିତ ଏହି ଚରମ ଅବହେଳାକୁ ଦୃଷ୍ଟିରେ ରଖି ମୃତ ନାବାଳିକାଙ୍କ ପରିବାରବର୍ଗଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଆମ୍ବୁଲାନ୍ସ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ସମେତ ଏହାର ଜିଲ୍ଲାସ୍ତରୀୟ ଅଧିକାରୀ ତଥା ପରିଚାଳନାରେ ଅବହେଳା ପାଇଁ ସମସ୍ତ କର୍ମଚାରୀଙ୍କ ବିରୋଧରେ କଠୋର ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବିଜୁ ଜନତା ଦଳ ଦୃଢ଼ ଦାବି କରିଛି। ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶକ୍ରମେ ତଥା ବରିଷ୍ଠ ଉପସଭାପତି ଧର୍ମେନ୍ଦ୍ର ନାଏକଙ୍କ ପରିଚାଳନାରେ ନର୍ଲା ବିଧାୟିକା ମନୋରମା ମହାନ୍ତି ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନକୁ ନେତୃତ୍ଵ ନେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ବିଧାୟିକା ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାକୁ ଦୃଢ଼ ନିନ୍ଦା କରିବା ସହିତ କର୍ତ୍ତବ୍ୟରେ ଅବହେଳା କରିଥିବା ବିଭାଗୀୟ କର୍ମଚାରୀଙ୍କୁ ତୁରନ୍ତ ସସପେଣ୍ଡ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଏଥିସହିତ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ବ୍ୟାପକ ଅବ୍ୟବସ୍ଥା ନେଇ ଆଗାମୀ ବିଧାନସଭାରେ ସ୍ଵର ଉଠାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପ୍ରଦୀପ ମୁଣ୍ଡ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ସାମନ୍ତ ଖମାରୀ, ଧବଳେଶ୍ଵର ମହାପାତ୍ର, ପ୍ରଦୀପ ପ୍ରଧାନ, ସେନାପତି ନାଏକ, ରାଜୀବ ଶତପଥୀ, ବିଜୟ ମାଝୀ, ରବି ନାଏକ, ସବିତା ରାଉତ, ଗିରିଜା ଗହୀର, କାଦିର ଖାଁ, ନଳିନୀ ପଟ୍ଟନାୟକ, ବରକତ ଖାଁ, ପ୍ରେମରଞ୍ଜନ ପାଣିଗ୍ରାହୀ, ଶେଖ ମୁନାୱର , ହୃଷୀକେଶ ସାହୁ, ମହମ୍ମଦ ଇଲିୟାସ, ଖଗେଶ୍ଵର ବାଗ, ଦୁର୍ଯ୍ୟ ବଗର୍ତ୍ତୀ, ଗୋବିନ୍ଦ ତାଣ୍ଡି, ସୁଦର୍ଶନ ଦୋରା ପ୍ରମୁଖ ଉପସ୍ଥିତ ଥିଲେ।
