*ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗଣ ଧାରଣା।*
ବସ୍ତା:- ନି.ପ୍ର (ସେଖ ଆଜାରୁଦ୍ଦିନ)
ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଇନ୍ଦିରା ଛକରୁ ଅମର୍ଦ୍ଦା ରୋଡ ମଧ୍ୟରେ ଖୋଲିବାକୁ ଥିବା ନୂତନ ବିଦେଶୀ ମଦ ଦୋକାନକୁ ବିରୋଧ କରି ଆଜି ଶତାଧିକ ଲୋକ ଇନ୍ଦିରା ଛକରେ ଗଣ ଧାରଣା ଦେଇଛନ୍ତି। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ପ୍ରସ୍ତାବିତ ଦୋକାନଟି ସେହି ରାସ୍ତାରେ ଥିବା ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋଟିଏ ମହାବିଦ୍ୟାଳୟ, ଏକାଧିକ ଆବାସିକ ବିଦ୍ୟାଳୟ,ଏକ ସରକାରୀ ହସ୍ପିଟାଲରୁ ମାତ୍ର ଏକ କିଲୋ ମିଟର ଦୂରେ ହେବାକୁ ଯାଉଛି। ଏହା ସରକାରୀ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ। ଇନ୍ଦିରା ଛକ ଅମର୍ଦାରୋଡ ହେଉଛି ଏକ ବ୍ୟସ୍ତବହୁଳ ରାସ୍ତା। ସେଠାରେ ମଦ ଦୋକାନ ଖୋଲିଲେ ମଦ୍ୟପ ମାନଙ୍କ ଭିଡ଼ ଜମି ଟ୍ରାଫିକ୍ ଜାମ୍ ଓ ଛିନତାଇ ଭଳି ଘଟଣା ବଢିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଛାତ୍ର ଛାତ୍ରୀ ମାନେ ପ୍ରତିଦିନ ଏଇ ରାସ୍ତାରେ କୋଚିଂ, ସ୍କୁଲ, କଲେଜ, ବଜାର ଯାଆନ୍ତି। ଦୋକାନ ଖୋଲିଲେ ସେମାନେ ନିରାପଦ ରହିବେ ନାହିଁ। ଶତାଧିକ ମହିଳା ଓ ପୁରୁଷ ହାତରେ ପ୍ଲାକାର୍ଡ ଧରି “ଆମ ଗାଁରୁ ମଦ ହଟାଓ”, “ପିଲାଙ୍କ ଭବିଷ୍ୟତ ସହ ଖେଳିବାନି” ଭଳି ନାରା ଦେଇଥିଲେ। ସେମାନେ ତୁରନ୍ତ ଦୋକାନକୁ ଗାଁଠୁ ଅତି କମରେ 1 କିଲୋମିଟର ଦୂରକୁ ସ୍ଥାନାନ୍ତର କରିବାକୁ ଦାବି କରିଛନ୍ତି। ପ୍ରଶାସନର ଆଶ୍ୱାସନା ପରେ ଗ୍ରାମବାସୀ ଧାରଣା ପ୍ରତ୍ୟାହାର କରିଥିଲେ। କିନ୍ତୁ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ରାଜପଥ ଘେରାଉ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
