ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ, ୭୫ଟି ଅଭିଯୋଗ ଗ୍ରହଣ
ଦେବଗଡ଼: ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ସରୁଆଳି ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଶିବିରରେ ଯୋଗଦେଇ ସାଧାରଣ ଲୋକଙ୍କଠାରୁ ମୋଟ ୭୫ଟି ଅଭିଯୋଗ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ଓ ୩୮ଟି ସାମୂହିକ ଅଭିଯୋଗ ଥିବା ଜଣାପଡ଼ିଛି।
ଶିବିରରେ ରାସ୍ତା ନିର୍ମାଣ, ପାନୀୟ ଜଳ ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଘରବାରି ପଟ୍ଟା ପ୍ରଦାନ, ଭତ୍ତା, ଜମି ପଟ୍ଟା ସଂଶୋଧନ ଏବଂ ସୋଲାର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗର ଶୁଣାଣି କରି ଶୀଘ୍ର ଓ ପ୍ରଭାବୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ, ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଏସିଏଫ୍ ଅରୁଣ କୁମାର ବେହେରା, ଡେପୁଟି କଲେକ୍ଟର ଅଞ୍ଜୁନି କୁଜୁର, ବାରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟକାନ୍ତ ବରିହା, ତହସିଲଦାର ରବୀନ୍ଦ୍ର କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଦେବଗଡ଼ରୁ ସୁରେଶ ମାଝୀଙ୍କ ରିପୋର୍ଟ।
