ମାଧବନ୍ଧ ତ୍କଳମଣି ହାଇସ୍କୁଲରେ ବନମହୋତ୍ସବ
ଚିକିଟି//ଶ୍ରୀବତ୍ସ.//ଚିକିଟି ବ୍ଲକ ଅନ୍ତର୍ଗତ ମାଧବନ୍ଧସ୍ଥ ଉତ୍କଳ ମଣି ହାଇସ୍କୁଲରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଜୁଲାଇ ପ୍ରଥମ ସପ୍ତାହର ସାତ ଦିନ କୁ ବନ ମହୋତ୍ସବ ଭାବେ ପାଳନ କରାଯାଇଥାଏ। ଆଜି ପ୍ରଥମ ଦିନରେ ଗିରିସୋଲା ଓ ମାଧବନ୍ଧରେ ଚିକିଟି ଗୋଷ୍ଠୀ ଶିକ୍ଷାଧିକାରୀ ପନ୍ନଗଷଭୂଷଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ଆରମ୍ଭ କରାଯାଇଛି।ଏ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା। ନବ ନିଯୁକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ବିଇଓ ପନ୍ନଗଷଭୂଷଣ ମାଝୀ, ସମ୍ମାନିତ ଅତିଥି ଆର୍ଯ୍ୟଭଟ୍ଟ ଫାଉଣ୍ଡେସନର ଅଧ୍ୟକ୍ଷ ଗ୍ରୀନ ମେନ୍ ତଥା ଏହି ବିଦ୍ୟାଳୟର ପୂର୍ବତନ ଛାତ୍ର ସୁଧୀର ରାଉତ, ଗଞ୍ଜାମ ଜିଲ୍ଲାର ଇକୋ କ୍ଲବ ସଂଯୋଜକ ସତ୍ୟନାରାୟଣ ବେଜ, ପରିବେଶବିତ୍ ସତ୍ୟନାରାୟଣ ଖାଡାଙ୍ଗା ଏବଂ ପୂର୍ବତନ ଛାତ୍ର ଦୂର୍ଗା ମାଧବ ମହାରଣା, ଇକୋ କ୍ଳବ୍ ଦାୟିତ୍ୱରେ ସୁମିତ୍ରା ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ।
ସଂଯୋଜକ ତଥା ଦିଗପହଣ୍ଡି ବିଇଓ ସତ୍ୟନାରାୟଣ ବେଜ ବନମହୋତ୍ସବର ଆବଶ୍ୟକତା ଓ କାର୍ଯ୍ୟକାରିତା ବୁଝାଇଥିଲେ ଏବଂ ବିଇଓ ଶ୍ରୀ ମାଝୀ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ପ୍ରତି ବର୍ଷ ପାଳନ ହୋଇ ସାମାଜିକ ବନୀକରଣର ବୃଦ୍ଧି ଘଟାଇବା ସହ ପରିବେଶ ସୁରକ୍ଷା କରୁଛି ଓ ବୃକ୍ଷ ରୋପଣ ଯେ ଆଜିର
ଆବଶ୍ୟକତା ନୁହେଁ ବରଂ ଅପରିହାର୍ଯ୍ୟ ବୋଲି ବିଭିନ୍ନ ପରିସଂଖ୍ୟାନ ସହ କହିଥିଲେ। ଗଛର ଉପକାରିତା ଉପରେ ବୈଜ୍ଞାନିକ ତଥ୍ୟ ଅବତାରଣା କରି ପିଲାଙ୍କୁ ବୁଝାଇଥିଲେ ସବୁଜ ମଣିଷ ସୁଧୀର ରାଉତ।ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଖାଡଙ୍ଗା ଓ ଶ୍ରୀ ମହାରଣା ନିଜ ବକ୍ତବ୍ୟରେ ନିଜ ନିଜ ବିଦ୍ୟାଳୟରେ କିପରି ବନମହୋତ୍ସବ ଓ ଇକୋ କ୍ଲବ ପରିଚାଳନା କରୁଥିଲେ ତାହା ବର୍ଣ୍ଣନା କରି ଏହି କାର୍ଯ୍ୟକ୍ରମକୁ ପ୍ରତିଯୋଗିତା ମନୋଭାବରେ ବଢ଼େଇ ନେବାକୁ ଆହ୍ବାନ ଦେଇଥିଲେ।
ବିଦ୍ୟାଳୟର ସବୁଜ ବାହିନୀ, ଜୁନିଅର ରେଡକ୍ରସ ଓ ସ୍କାଉଟ ତରଫରୁ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କ ସହ ମିଳିତ ଭାବେ ବୃକ୍ଷ ରୋପଣ କରିଥିଲେ। ଗତବର୍ଷ ଘୋଷଣା ହୋଇଥିବା ରାଜ୍ୟପାଳ ପୁରସ୍କାର ପାଇଥିବା ଦଶଜଣ ଛାତ୍ରୀଙ୍କୁ ଗାଇଡ ଉତ୍କର୍ଷ ପ୍ରମାଣ ପତ୍ର ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଇକୋ କ୍ଳବ୍ ସଂଯୋଜକ ଶପଥ ପାଠ କରାଇଥିଲେ ଓ ପ୍ରଧାନ ଶିକ୍ଷୟିତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।ଏ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
