ଠକ ଙ୍କ ନୂଆ ଉପାୟ: ବିଡ଼ିଓ ପରିଚୟ ଦେଇ ଠକିନେଲେ ସୁନାପଲା
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) : ଠକ ମାନେ ସାଧାରଣ ଲୋକଙ୍କୁ ଠକିବାର ନୂଆ ନୂଆ ଶୈଳୀ ଆପଣାଉଛନ୍ତି। କିଛି ଦିନ ପୂର୍ବେ ଶିରାପୁର ଗ୍ରାମର ଜଣେ ମହିଳା ଙ୍କୁ ବ୍ଲକ କର୍ମଚାରୀ କହି ତିରିଶି ହଜାର ଟଙ୍କା ଲୁଟ୍ କରିଥିବା ବେଳେ ଆଜି ସୋର ପୌର ପାଳିକା ଅନ୍ତର୍ଗତ ତୁଣ୍ଡପଡ଼ା ଗ୍ରାମରେ ଇନ୍ଦିରା ଆବାସ କରେଇ ଦେବାକୁ କହି ଜଣେ ଅଜଣା ଯୁବକ ସୁନା ଗହଣା, ଆଧାର କାର୍ଡ ଏବଂ ବ୍ୟାଙ୍କ ପାସବୁକ ଲୁଟିନେଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ ଏହି ଗ୍ରାମର ବଂଶୀଧର କମିଳା ଆଜି ସକାଳେ ଘରେ ଥିବା ବେଳେ ଜଣେ ଯୁବକ ଏକ ପଲସର ବାଇକରେ ଆସି ବିଡ଼ିଓ ପରିଚୟ ଦେଇ ତାଙ୍କ ନାମରେ ଇନ୍ଦିରା ଆବାସ ଆସିଛି ଏବଂ ତିନି ମାସ ମଧ୍ୟରେ ଘର ତିଆରି କଲେ ୩ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ।କିନ୍ତୁ ବଂଶୀଧର ଟଙ୍କା ନ ଥିବାରୁ ଘର କରିବା ପାଇଁ ଅସମର୍ଥ ପ୍ରକାଶ କରିଥିଲେ। କିନ୍ତୁ ଯୁବକ ଜଣଙ୍କ ତାଙ୍କୁ ୫ ହଜାର ଟଙ୍କା ଦେଲେ ୫୦ ହଜାର ଦେବେ ବୋଲି କହିଥିଲେ। ଏଥିରେ ବି ବଂଶୀଧର ଅସହାୟତା ପ୍ରକାଶ କରିଥିଲେ। ଫଳରେ ଯୁବକ ଜଣଙ୍କ ତାଙ୍କୁ ସୁନା ଗହଣା ଦେଲେ ଟଙ୍କା ଦେବେ ବୋଲି କହିଥିଲେ। ଫଳରେ ବାପାଙ୍କର ଦୁଃଖ ସହି ନ ପରି ନିକଟରେ ଥିବା ତାଙ୍କ ଝିଅ ଅନ୍ନପୂର୍ଣ୍ଣା କମିଳା ପିନ୍ଧିଥିବା ସାଢେ ୮ ଗ୍ରାମର ସୁନା ପଲା ବ୍ୟାଙ୍କ ପାସବୁକ ଏବଂ ଆଧାର କାର୍ଡ ତାଙ୍କୁ ଦେଇଥିଲେ। ଫଳରେ ଯୁବକ ଜଣଙ୍କ ଅନ୍ନପୂର୍ଣ୍ଣାଙ୍କ ସ୍ୱାମୀଙ୍କୁ ବାଇକରେ ବସାଇ କୋର୍ଟ ନିକଟକୁ ଆସିଥିଲେ। ସେଠାରେ ପହଞ୍ଚିବା ପରେ ଯୁବକ ଜଣଙ୍କ ତାଙ୍କୁ କୋର୍ଟରୁ ଏକ ଇନ୍ଦିରା ଆବାସ ଫର୍ମ ଆଣିବାକୁ କହିଥିଲେ। କିନ୍ତୁ ମହିଳାଙ୍କ ସ୍ୱାମୀ କୋର୍ଟରୁ ଫେରିବା ପରେ ଆଉ ଯୁବକଙ୍କର ଦେଖା ପାଇ ନ ଥିଲେ। ଫଳରେ ଯୁବକ ଜଣଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇ ଠକାମୀର ଶିକାର ହୋଇଥିବା ଜାଣିପାରି ଅପରାହ୍ନରେ ବଂଶୀଧର ସୋର ଥାନାରେ ଅଭିଯୋଗ କରିଛନ୍ତି।ଅଭିଯୋଗ ମୂଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
