*ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ, ଅଭିଯୁକ୍ତଙ୍କୁ ପୁଲିସ ସୁରକ୍ଷା ଦେଉଥିବା ଅଭିଯୋଗ*
ବସ୍ତା:- (ନି.ପ୍ର) ସେଖ ଆଜାରୁଦ୍ଦିନ
ରୂପସା ଥାନା ପରିସରରେ କାର୍ଯ୍ୟରତ ଦୁଇ ସାମ୍ବାଦିକଙ୍କୁ ଆକ୍ରମଣ, କ୍ୟାମେରା, ମୋବାଇଲ ଛଡ଼ାଇନେବା ଏବଂ ଗୁଳି କରି ହତ୍ୟା କରିବାର ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ଅମରେଶ ପାଣିଗ୍ରାହୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବାରୁ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିଛି।ଅଭିଯୋଗ ଅନୁସାରେ, ରୂପସା ଥାନାରେ ଏକ ଅଭିଯୋଗ ସମ୍ପର୍କରେ ଆଲୋଚନା ପାଇଁ ସାମ୍ବାଦିକ ଚାନସିଲର ରାଉତ ଓ ଫୋକସ୍ ପ୍ଲସ୍ ଟିଭିର କ୍ୟାମେରାମ୍ୟାନ୍ ସନ୍ତୋଷ କୁମାର ନାୟକ ଉପସ୍ଥିତ ଥିଲେ। ସେହି ସମୟରେ ବିଦ୍ୟୁତ ବିଭାଗର ଜେଇ ସୁଜିତ ଭଟ୍ଟାଚାର୍ଯ୍ୟ ମଧ୍ୟ ଥାନାରେ ପହଞ୍ଚିଥିଲେ। ସାମ୍ବାଦିକମାନେ ଜେଇଙ୍କୁ ପ୍ରତିକ୍ରିୟା ନେବାକୁ ଯାଇଥିବା ବେଳେ, ତାଙ୍କ ନିକଟରେ ଥିବା ସିକ୍ୟୁରିଟି ଗାର୍ଡ ଅଭିଯୁକ୍ତ ଅମରେଶ ପାଣିଗ୍ରାହୀ ଦୁଇ ସାମ୍ବାଦିକଙ୍କୁ ଧକ୍କା ମାରିବା ସହ କ୍ୟାମେରା ଓ ମୋବାଇଲ ଛଡ଼ାଇନେଇଥିବା ଅଭିଯୋଗ ହୋଇଛି। ଏହାସହ ଗାଳିଗୁଲଜ କରିବା ଓ ଗୁଳି କରି ହତ୍ୟା କରିବାର ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଘଟଣା ସମୟରେ ରୂପସା ପୁଲିସ ଅମରେଶ ପାଣିଗ୍ରାହୀ କୁ କାବୁ କରି ଥାନାରେ ଅଟକ ରଖିଥିଲେ। ତେବେ କିଛି ସମୟ ଥାନାରେ ରହିବା ପରେ ସେ ଥାନାର ପଛପଟ ରାସ୍ତା ଦେଇ ଚାଲିଯାଇଥିବା ନେଇ ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ଚାନସିଲର ରାଉତ ଓ ସନ୍ତୋଷ କୁମାର ନାୟକ ରୂପସା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉତ୍ତର ବାଲେଶ୍ୱର ବସ୍ତା ପ୍ରେସ୍ କ୍ଲବ ପକ୍ଷରୁ ମଧ୍ୟ ପୁଲିସ ଅଧିକାରୀଙ୍କୁ ଲିଖିତ ଦରଖାସ୍ତ ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ରୂପସା ଥାନାରେ କେସ୍ ନମ୍ବର ୧୪୯/୨୬ରେ ମାମଲା ରୁଜୁ ହୋଇଥିବା ଅଭିଯୋଗ ପକ୍ଷରୁ କୁହାଯାଇଛି। ତେବେ ମାମଲା ରୁଜୁ ହେବାର ଦୀର୍ଘଦିନ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରାନଯିବାକୁ ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାସ୍ଥଳ ଓ ଥାନା ପରିସରର ସିସିଟିଭି ଫୁଟେଜ୍ ଯାଞ୍ଚ କରି ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଅଭିଯୁକ୍ତଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ଗିରଫ ନକଲେ, ସାମ୍ବାଦିକ ସମ୍ମିଳନୀ, ରୂପସା ଥାନା ଘେରାଉ ଏବଂ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ବସ୍ତା ପ୍ରେସ୍ କ୍ଲବର ସାମ୍ବାଦିକମାନେ ଚେତାବନୀ ଦେଇଛନ୍ତି।
