ଆହ୍ୱାନ ୨୦୨୬ ପରିବେଶ ସୁରକ୍ଷା ଦିଗରେ ଶିବିର ଅନୁଷ୍ଠିତ।
ଜଗତସିଂହପୁର(ନି.ପ୍ର): ବିଶ୍ୱ ପରିବେଶ ଦିବସ ଅବସରରେ ନିଲେ ଝଣ୍ଡେ ୱାଲେ ଓପନ୍ ୟୁନିଟ୍ର ଆନୁକୂଲ୍ୟରେ ଏକ ଦିବସୀୟ ସ୍କାଉଟ୍ସ ଆଣ୍ଡ ଗାଇଡ୍ସ ପରିବେଶ ଶିବିର “ଆହ୍ୱାନ-୨୦୨୬” ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଯାଇଛି। “ସବୁଜ ପୃଥିବୀ ପାଇଁ ସମୁଦାୟର ଦାୟିତ୍ୱ” ଶୀର୍ଷକକୁ ନେଇ ଆୟୋଜିତ ଏହି ଶିବିରର ଆରମ୍ଭ ଫ୍ଲାଗ୍ ସେରେମୋନି ମାଧ୍ୟମରେ ହୋଇଥିଲା। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ସ୍କାଉଟ୍, ଗାଇଡ୍, ରୋଭର୍, ରେଞ୍ଜର୍, ସ୍କାଉଟ୍ ମାଷ୍ଟର, ଗାଇଡ୍ କ୍ୟାପଟେନ୍, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ସାମାଜିକ ଦାୟିତ୍ୱ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଉଦଘାଟନୀ ଉତ୍ସବରେ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଜୟ କୁମାର ରଥ,ପ୍ରତାପ ଚନ୍ଦ୍ର ରାଉତରାୟ, ରଶ୍ମିକାନ୍ତ ସାହୁ, ନିରଞ୍ଜନ ବିଶ୍ୱାଳ, ଈଶ୍ୱର ଚନ୍ଦ୍ର ନନ୍ଦ, ମଧୁସୂଦନ ସାହୁ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ଖୁଣ୍ଟିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ ମା’ ସରସ୍ୱତୀ, ଭାରତମାତା, ଲର୍ଡ ବ୍ୟାଡେନ ପାୱେଲ ଓ ଲେଡି ବ୍ୟାଡେନ ପାୱେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଜିଲ୍ଲା ଟ୍ରେନିଂ କମିଶନର ସସ୍ମିତା ଶତପଥୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ରାକେଶ ରୋଶନ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏନ୍.ଜେ.ଡବ୍ଲ୍ୟୁ ଓପନ୍ ୟୁନିଟ୍ର ସମ୍ପାଦକ ତଥା ଭାରପ୍ରାପ୍ତ ରୋଭର ଲିଡର ଆଶୁତୋଷ ପଣ୍ଡା ସଂଗଠନର କାର୍ଯ୍ୟ ବିବରଣୀ ପାଠ କରିଥିଲେ।
ଏହି ଅବସରରେ ପରିବେଶ ସଚେତନତା ନିମନ୍ତେ ବକ୍ତୃତା, ନାଟକ, ସଙ୍ଗୀତ, ଲିଖିତ କୁଇଜ୍, ପୋଷ୍ଟର ପ୍ରସ୍ତୁତି, ସ୍ଲୋଗାନ ଲେଖନ ଓ ଗ୍ରୀନ୍ ଇନୋଭେସନ୍ ପ୍ରେଜେଣ୍ଟେସନ୍ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଜେତା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଉଦଯାପନୀ ସମାରୋହରେ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ରଥ ମୁଖ୍ୟ ଅତିଥି ଏବଂ ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ୍ସର ଯୁଗ୍ମ ସମ୍ପାଦକ (ପ୍ରୋଗ୍ରାମ ଆଣ୍ଡ ଟ୍ରେନିଂ) ଶ୍ରୀମତୀ ଅନାମିକା ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏହାସହ ସୁଭାଷ ଚନ୍ଦ୍ର ରାଉତ, ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଡ଼ଃ ନିହାର ରଞ୍ଜନ ଭୋଇ , ଅତୁଲ ବିକ୍ରମ ପ୍ରଧାନ, ମନୋଜ କୁମାର ନନ୍ଦୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ୟୁନିଟ୍ ଲିଡର ଶ୍ରୀ ବିଜୟ କୁମାର ରଥ ସଭାରେ ସଭାପତିତ୍ୱ କରିଥିଲେ। ଡିଟିସି ସ୍କାଉଟ ଅମୂଲ୍ୟ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପରେ ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱ ସମ୍ପର୍କରେ ଅତିଥିମାନେ ମତାମତ ରଖିଥିଲେ।
ଶ୍ରୀମତୀ ଅନାମିକା ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସ୍କାଉଟ୍ ଓ ଗାଇଡ୍ ଆନ୍ଦୋଳନ କେବଳ ଏକ ସହପାଠ୍ୟ କାର୍ଯ୍ୟକ୍ରମ ନୁହେଁ, ବରଂ ଚରିତ୍ର ଗଠନ, ନେତୃତ୍ୱ ବିକାଶ, ସମାଜସେବା ଓ ପରିବେଶ ସୁରକ୍ଷା ପାଇଁ ଏକ ସଶକ୍ତ ମାଧ୍ୟମ। ସେ ଯୁବପିଢ଼ିଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି କରିବାରେ ଏଭଳି ଶିବିରର ଭୂମିକାକୁ ବେଶ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଅଶୋକ କୁମାର ରଥ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ଆଜି ବିଶ୍ୱ ପାଇଁ ଏକ ଗୁରୁତର ଆହ୍ୱାନ ସୃଷ୍ଟି କରିଛି। ଏହାର ମୁକାବିଲା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ସଚେତନ ହେବା ସହ ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ଦିଗରେ ଆଗେଇ ଆସିବା ଆବଶ୍ୟକ। ସେ ଯୁବ ସମାଜକୁ ପରିବେଶ ସୁରକ୍ଷା ଆନ୍ଦୋଳନର ଅଗ୍ରଦୂତ ହେବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ସ୍କାଉଟ୍ ଓ ଗାଇଡ୍ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ “ପ୍ରଧାନ ଶିକ୍ଷକ ସ୍କାଉଟ୍ ସେବା ସମ୍ମାନ”, “ସ୍କାଉଟ୍ ବାର୍ତ୍ତା ସାରଥୀ ସମ୍ମାନ”, “ବାଳଚର ଶିରୋମଣୀ ସମ୍ମାନ”, “ବାଳଚର ମିତ୍ର ସମ୍ମାନ”, “ରୋଭର୍-ରେଞ୍ଜର ସେବା ରତ୍ନ ସମ୍ମାନ”, “ଧରିତ୍ରୀ ସୁରକ୍ଷା ସମ୍ମାନ” ଏବଂ “ପରିବେଶ ଯୋଦ୍ଧା ସମ୍ମାନ” ପ୍ରଦାନ କରାଯାଇଥିଲା।
ପରେ ଦୁଃଖୀରାମ ସ୍ୱାଇଁ କଳା ପ୍ରତିଷ୍ଠାନ ଓ ସାଧନା କଳା ଶିକ୍ଷାକେନ୍ଦ୍ରର ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ଏନ୍.ଜେ.ଡବ୍ଲ୍ୟୁ. ଓପନ୍ ୟୁନିଟ୍ର ସହକାରୀ ସମ୍ପାଦକ ସ୍ମୃତି ରଞ୍ଜନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଏନ୍.ଜେ.ଡବ୍ଲ୍ୟୁ. ଓପନ୍ ୟୁନିଟ୍ର ରୋଭର ଓ ରେଞ୍ଜରମାନେ ସକ୍ରିୟ ସହଯୋଗ କରିଥିଲେ। ପରିବେଶ ସଚେତନତା, ସ୍କାଉଟିଂ ଆଦର୍ଶର ପ୍ରଚାର ଓ ଯୁବ ସମାଜକୁ ସାମାଜିକ ଦାୟିତ୍ୱ ପ୍ରତି ପ୍ରେରିତ କରିବା ଦିଗରେ ଏହି ଶିବିର ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ପରିଗଣିତ ହୋଇଥିବା ବେଳେ ବିଭିନ୍ନ ମହଲରୁ ଏହାର ଭୂୟସୀ ପ୍ରଶଂସା କରାଯାଇଛି।
