ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ବୈଠକ.
ପରଜଙ୍ଗ : (ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କଣ୍ଟାପାଳ ଗ୍ରାମରେ ବିଶ୍ୱ ଯୁବ କେନ୍ଦ୍ର ସଂସ୍ଥା ଆନୁକୁଲ୍ୟରେ ଗ୍ରାମସ୍ତରୀୟ ଶିଶୁ କଳ୍ୟାଣ ଓ ସୁରକ୍ଷା କମିଟିର ଏକ ସଚେତନତାମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ବିଶ୍ୱ ଯୁବ କେନ୍ଦ୍ରର ତପନ କୁମାର ପାତ୍ର ଓ ବାଲ୍ୟ ବିବାହର କାଉନସିଲର ମାନସ୍ମିତା ନାୟକ ତତ୍ବାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ସମାଜରୁ ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମୂଲେ ନିରାକରଣ କରିବା ଏବଂ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଓ ସୁନିଶ୍ଚିତ କରିବା ଥିଲା ଏହି ବୈଠକର ମୂଳ ଲକ୍ଷ୍ୟ।
ଉକ୍ତ ବୈଠକରେ ଗ୍ରାମଅଙ୍ଗନାୱାର୍ଡ,ୱାର୍ଡ ମେମ୍ବର,ଗ୍ରାମର ମହିଳା,ସକ୍ରିୟ ଭାବେ ଉପସ୍ଥିତ ରହି ସମାଜିକ ଦାୟିତ୍ୱବୋଧର ପରିଚୟ ପ୍ରଦାନ କରିଥିଲେ। ବୈଠକରେ ବାଲ୍ୟ ବିବାହର ଭୟାବହ କୁପରିଣାମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରିପକ୍ୱ ବୟସରେ ବିବାହ ହେବା ଫଳରେ କିଶୋରୀମାନଙ୍କ ଶାରୀରିକ ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା, ଶିକ୍ଷାରୁ ବଞ୍ଚିତ ହେବା, ମାତୃମୃତ୍ୟୁ ଓ ପୌଷ୍ଟିକ ଅଭାବ ପରି ଗୁରୁତର ସମସ୍ୟା ଦେଖା ଦେବା ଆଦି ବିଷୟରେ ଆଲୋଚନା କରା ଯାଇଥିଲା।ଏହା ସହିତ ବାଲ୍ୟ ବିବାହ ନିଷେଧ ଆଇନ ଓ ଏହା ସହ ସଂପୃକ୍ତ ଦଣ୍ଡ ବିଧାନ ବିଷୟରେ ମଧ୍ୟ ସମସ୍ତଙ୍କୁ ସଚେତନ କରାଯାଇଥିଲା। ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି କୁପ୍ରଥା ବିରୋଧରେ ସଜାଗ ରହିବା ସହ ଯେକୌଣସି ବାଲ୍ୟ ବିବାହ ସମ୍ପର୍କିତ ସୂଚନା ତୁରନ୍ତ ପ୍ରଶାସନ କିମ୍ବା ସମ୍ପର୍କିତ ବିଭାଗକୁ ଜଣାଇବା ପାଇଁ ଆହ୍ୱାନ ଦିଆଯାଇଥିଲା।
ବୈଠକର ଶେଷ ପର୍ଯ୍ୟାୟର ସମସ୍ତ ଉପସ୍ଥିତ ବ୍ୟକ୍ତି ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଏକତ୍ରିତ ଭାବେ ଶପଥ ଗ୍ରହଣ କରିଥିଲେ। ସମାଜରେ ସଚେତନତାର ଆଲୋକ ପ୍ରଜ୍ୱଳିତ କରି ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ, ସୁରକ୍ଷିତ ଓ ଶିକ୍ଷିତ ପରିବେଶ ସୃଷ୍ଟି କରିବାର ସଙ୍କଳ୍ପ ସହିତ ବୈଠକଟି ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା।
