ସୋର ତହସିଲଦାରଙ୍କ ତରଫରୁ ୨ ବେଆଇନ ପଥର ବୋଝେଇ ଗାଡ଼ି ଜବତ ସହ ଥାନାରେ ଜିମା ଦେଲେ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ପଥର ମାଫିଆ ଖଣି ବିଭାଗ ର ମଧୁ ଚନ୍ଦ୍ରିକା। ଶହଶହ ଗାଡି ପଥର ଚୋରା ଚାଲାଣ ହେଉଥିବା ବେଳେ ଦୁଇ ତିନୋଟି ଗାଡି ଧରି ବାହା ବାହା ନେଉଛି ଖଣି ବିଭାଗ ଏବଂ ସୋର ତହସିଲ। ବାରମ୍ବାର ସୋରରେ ବେଆଇନ ପଥର ବୋଝେଇ ଗାଡ଼ି ଜବତ ହେଉଥିବା ବେଳେ ଖଣି ବିଭାଗ ତରଫରୁ ସହଯୋଗ ମିଳୁ ନଥିବା ଦେଖା ଦେଇଛି। ସୋର ତହସିଲ ତରଫରୁ ଚଢ଼ାଉ କରି ଦୁଇ ବେଆଇନ ପଥର ବୋଝେଇ ଡମ୍ପର ଜବତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବେଆଇନ ପଥର ଚାଲାଣ ହେଉଥିବାର ଖବର ପାଇ ତହସିଲଦାର କୃଷ୍ଣ ମୋହନ ସିଂହ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଏହି ସମୟରେ ଓଡି୦୧ଭି୧୫୪୫ ଓ ଓଡି୧୧ଭି୪୬୩୧ ଦୁଇଟି ଡମ୍ଫରରେ ବେଆଇନ ପଥର ଚାଲାଣ ହେଉଥିବା ଜାଣିପାରି ଗାଡି ଦୁଇଟିକୁ ଅଟକାଇ ଏହାର କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଉଭୟ ଗାଡିରେ ବେଆଇନ ପଥର ଚାଲାଣ ହେଉଥିବା ଜାଣିପାରି ଗାଡି ଦୁଇଟିକୁ ଜବତ କରି ସୋର ଥାନାରେ ଜିମା ଦେଇଥିବା ଜଣାପଡିଛି। ଚଢ଼ାଉ ଖବର ପାଇ ଅନେକ ବେଆଇନ ପଥର ଗାଡ଼ି ଦିଗ ବଦଳାଇ ଖସି ପଳାଇଥିଲେ।
