ବାହାନଗା ଟ୍ରେନ ଟ୍ରାଜେଡି କୁ ୩ବର୍ଷ ପୂର୍ତ୍ତି ଉପଲକ୍ଷେ ନିରବ ପ୍ରାର୍ଥନା ଏବଂ ସମୂହ କ୍ୟାଣ୍ଡେଲ ଶୋଭାଯାତ୍ରା ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ଆଜି ଜୁନ୍ ୨ ।ବାହାନଗା ଟ୍ରେନ ଟ୍ରାଜେଡି କୁ ୩ବର୍ଷ। ଏହି ୩ ବର୍ଷ ଅବସରରେ ମହମବତୀ ଜଳାଇ ଏକ ଶ୍ରଦ୍ଧାଞ୍ଜଳି ସଭା ଆଦର୍ଶ ଯୁବ ପରିଷଦ ସୋର ଦ୍ୱାରା ଆୟୋଜିତ ହୋଇଯାଇଛି। ସେଦିନ ଥିଲା କଳା ଶୁକ୍ରବାରର କାଳ ସନ୍ଧ୍ୟା । ଜୁନ ୦୨ ତାରିଖ ୨୦୨୩ ମସିହା । ଲୌହ ଦାନଵର ରକ୍ତ ଭୋଜି ପୂର୍ବକ କରମଣ୍ଡଳ ଓ ୟଶବନ୍ତପୁର ଶାଲିମାର ଏକ୍ସପ୍ରେସର ଧକ୍କାରେ କେତେ ପ୍ରାଣ ନିମିଷକରେ ଚାଲିଯାଇଥିଲା ଉକ୍ତ ରେଳ ଦୁର୍ଘଟଣାରେ । ବାହାନଗା ରେଳ ଦୁର୍ଘଟଣା କଥା ମନେ ପଡ଼ିଲେ ଦେହ ଶୀତେଇ ଯାଏ ।
ଆଜିକୁ ୩ ବର୍ଷ ତଳେ ସନ୍ଧ୍ୟା ସମୟରେ ଘଟି ଯାଇଥିଲା ସେଇ ଲୋମଟାଙ୍କୁରା ରେଳ ଦୁର୍ଘଟଣା । ଯେଉଁ ଦୁର୍ଘଟଣାରେ ସରକାରୀ ଅନୁସାରେ ୩୦୨ ଜଣଙ୍କ ଜୀବନ ଦୀପ ନିମିଷକେ ଲିଭି ଯାଇଥିଲା, ୧୦୦୦ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । କେତେକ ମୃତ ଦେହର ଆଜି ପର୍ଯ୍ୟନ୍ତ ପରିଚୟ ମିଳି ପାରିଲା ନାହିଁ । ଏହି ସ୍ମୃତିକୁ ରୋମନ୍ଥନ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ସୋରର ଅଗ୍ରଣୀ ସାମାଜିକ ସ୍ୱେଛାସେବୀ ସେବା ସଂଗଠନ ଆଦର୍ଶ ଯୁବ ପରିଷଦ । ପରିଷଦର ୨୫ରୁ ଉର୍ଦ୍ଧ୍ବ ସଦସ୍ୟ ସଭାପତି ପୃଥ୍ବୀ ରଞ୍ଜନ ବେହେରାଙ୍କ ନେତୃତ୍ବରେ ମୃତ ଯାତ୍ରୀ ମାନଙ୍କ ଉଦ୍ଧେଶ୍ୟରେ ସାମୁହିକ ଦୀପ ଦାନ କରିଥିଲେ । ସୂଚନା ଯୋଗ୍ୟ ଯେ ବାହାନଗା ରେଳ ଦୁର୍ଘଟଣାରେ ଅଳ୍ପ କେତେ ମିନଟ ସମୟ ମଧ୍ୟରେ ଆଦର୍ଶ ଯୁବ ପରିଷଦ ସୋରର ସଦସ୍ୟ ମାନେ ଦୁର୍ଘଟଣା ସ୍ଥଳରେ ନିଜ ଜୀବନକୁ ବାଜି ଲଗାଇ ୪୦ ଫୁଟ ଉପରେ ଥିବା ରେଳ ଡବା ଉପରେ ବହୁତ ଯାତ୍ରୀଙ୍କୁ ଗୁରୁତର ଆହତ ଓ ମୃତ ଅବସ୍ଥାରେ ଉଦ୍ଧାର କରିବା ସହ ସାରା ରାତି ବିଭିନ୍ନ ଡାକ୍ତରଖାନାରେ ସେବା ସହଯୋଗ କରିବା ସହ ସେହି ସମୟରେ ରକ୍ତଦାନ କରି ଅନନ୍ୟ ଉଦାହରଣ ସୃଷ୍ଟି କରି ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ସମ୍ମାନିତ ହୋଇଥିଲେ । ଉକ୍ତ ଘଟଣା ବର୍ଣନା କରିବା ସମୟରେ ପରିଷଦର ମହିଳା ସଦସ୍ୟ ତଥା ସଭାପତି ଙ୍କ ଆଖରୁ ଲୁହ ଝରିପଡିଥିଲା । ଇତି ଅବସରରେ ପରିଷଦର ସଦସ୍ୟ ମାନେ ଏମିତି ରେଳ ଦୁର୍ଘଟଣା ଆଉ କେବେ କେଉଁଠାରେ ନ ଘଟୁ ବୋଲି ମ୍ରିୟମାଣ ହୋଇ ପ୍ରକାଶ କରିଥିଲେ ।
