ଯୁବକ ନିଜ ଘରେ ନିଆଁ ଲଗାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ କରିଦେଲେ
ବେତନଟୀ, (ନି ପ୍ର)୨୫/୫: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ମୁକ୍ତାପୁର ପଞ୍ଚାୟତର ପାରାଇ ଗ୍ରାମରେ ଏକ ଅସ୍ୱାଭାବିକ ଘଟଣା ଘଟିଛି। ଜଣେ ଯୁବକ ନିଜ ଘରେ ଦୁଇ ଦୁଇ ଥର ନିଆଁ ଲଗାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଜାଳିପୋଡ଼ି ପାଉଁଶ କରିଦେଇଛନ୍ତି। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁଯାୟୀ, ପାରାଇ ଗ୍ରାମର ଶଙ୍କର କିସ୍କୁଙ୍କ ପୁଅ ବାଇଧର କିସ୍କୁ ଶନିବାର ଦିନବେଳା କୌଣସି କଥା ରେ ଉତେଜିତ ହୋଇ ହଠାତ୍ ନିଜ ଘରେ ନିଆଁ ଲଗାଇ ଦେଇଥିଲେ। ବେତନଟୀ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ରାତି ପ୍ରାୟ ସମସ୍ତେ ଶୋଇବା ପରେ ବାଇଧର ପୁନର୍ବାର ଘରେ ନିଆଁ ଲଗାଇ ଦେଇଥିଲେ। ଗ୍ରାମବାସୀଙ୍କୁ ଜାଣିବା ପୂର୍ବରୁ ନିଆଁ ସମଗ୍ର ଘରକୁ ଗ୍ରାସ କରି ନେଇଥିଲା। ଫଳରେ ଘରରେ ଥିବା ଧାନ, ଚାଉଳ, ଆସବାବପତ୍ର ଆଦି ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଘଟଣାର ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ରବିବାର ରାତିରେ ବାଇଧରଙ୍କ ପିତା ଶଙ୍କର କିସ୍କୁ ଥାନାରେ ଏତଲା ଦାଖଲ କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୋମବାର ଦିନ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବାଇଧର ହଠାତ୍ କିଛି ଘଟଣା କୁ ନେଇ ମାନସିକ ଭାବେ ଉତ୍ତେଜିତ ହୋଇ ଏପରି କାଣ୍ଡ କରିଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅଘୋଷିତ ବିଦ୍ୟୁତ କାଟରେ ବ୍ୟାହତ ହେଉଛି ସାଧାରଣ ଜୀବନଯାତ୍ରା
ବେତନଟୀ, (ନି ପ୍ର)୨୫/୫: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରେ ଗତ କିଛିଦିନ ଧରି ଅଘୋଷିତ ଭାବେ ବିଦ୍ୟୁତ କାଟ ହେବାରୁ ସ୍ଥାନୀୟ ବାସିନ୍ଦାଙ୍କ ଜୀବନଯାତ୍ରା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ଦିନ କିମ୍ବା ରାତି ଯେ କୌଣସି ସମୟରେ ବିନା ପୂର୍ବ ସୂଚନାରେ ବିଦ୍ୟୁତ କାଟ ହେଉଥିବାରୁ ବୟସ୍କ, ରୋଗୀ ଓ ଛୋଟ ପିଲାମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ମାର୍ଚ୍ଚ ମାସରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ବିଜୁଳି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସରକାରୀ ଭାବେ ଘୋଷଣା କରିଥିଲେ ଯେ ବିଦ୍ୟୁତ କାଟ ହେବ ନାହିଁ ଏବଂ କାଟ କରିଲେ ଦାୟୀ ବ୍ୟକ୍ତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ଏହି ପ୍ରତିଶ୍ରୁତି ପରେ ମଧ୍ୟ ଅଞ୍ଚଳରେ ନିୟମିତ ବିଦ୍ୟୁତ କାଟ ଜାରି ରହିଛି। ବେତନଟୀ ବ୍ଲକ କଂଗ୍ରେସ କମିଟି ଏହି ପରିସ୍ଥିତିକୁ ଦୃଢ ଭାବେ ନିନ୍ଦା କରିଛି। ବେତନଟୀ ବଣିକ ସଂଘର ସଭାପତି ସୁନୀଲ କୁମାର ଖଣ୍ଡେଲୱାଲ କହିଛନ୍ତି ଯେ ସରକାର ପ୍ରତିଶ୍ରୁତି ପାଳନ କରିପାରୁ ନଥିବାରୁ ଲୋକେ ଚରମ ଅସୁବିଧାରେ ପଡୁଛନ୍ତି। ସ୍ଥାନୀୟ ବାସିନ୍ଦାମାନେ ବିଦ୍ୟୁତ ବିଭାଗର ପକ୍ଷରୁ ଶୀଘ୍ର ସମାଧାନ ଦାବି କରିଛନ୍ତି। ବିଦ୍ୟୁତ ସମସ୍ୟା ସମାଧାନ ପାଇଁ ପ୍ରଶାସନିକ ସ୍ତରରେ କେଉଁ ପଦକ୍ଷେପ ନିଆଯାଉଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
