ବେତନଟୀ ଡାକ୍ତରଖାନାରେ ଭୁଲ ଏକ୍ସ-ରେ ରିପୋର୍ଟ ପ୍ରଦାନ: ୮ ବର୍ଷର କୁନିଝିଅକୁ ବୟସ୍କ ବ୍ୟକ୍ତିଙ୍କ ଏକ୍ସ-ରେ ରିପୋର୍ଟ ଦେଇ ଅଧିକାରୀ ହଟ ହଟା ଅଭିଯୋଗ ପରେ ଜିଲ୍ଲା ଅଧିକାରୀଙ୍କ ତଦନ୍ତ ନିର୍ଦ୍ଦେଶ
ବେତନଟୀ( ନିପ୍ର)୧୫/୫ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରଞ୍ଜନରଶ୍ମୀ (ଏକ୍ସ-ରେ) ବିଭାଗର ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଜଣେ ୮ ବର୍ଷର ନାବାଳିକାକୁ ଭୁଲ୍ ଏକ୍ସ-ରେ ରିପୋର୍ଟ ଦେଇ ଅନାବଶ୍ୟକ ପ୍ଲାଷ୍ଟରିଂ କରାଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଉଦ୍ବେଗ ସୃଷ୍ଟି କରିଛି। ପରିବାର ଲୋକେ ଏହି ଘଟଣାରେ ସମ୍ପୃକ୍ତ ଏକ୍ସ-ରେ ଟେକ୍ନିସିଆନ୍ ଓ ଡାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ ବେତନଟୀ ଉପକଣ୍ଠ ବହାନଡା ଗ୍ରାମର ଜଣେ ୮ ବର୍ଷୀୟା ନାବାଳିକା ସୋମବାର ଦିନ ଘର ପାଖରେ ସାଇକେଲ୍ ଚଳାଉଥିବା ସମୟରେ ପଡ଼ିଯାଇ ଗୋଡ଼ରେ ଆଘାତ ପାଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ଏକ୍ସ-ରେ କରାଇବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ନାବାଳିକାଙ୍କ ଏକ୍ସ-ରେ କରାଯାଇଥିଲା। କିନ୍ତୁ ରଞ୍ଜନରଶ୍ମୀ ବିଭାଗର ଟେକ୍ନିସିଆନ୍ ସେହି ସମୟରେ ଗୋଡ଼ ଭାଙ୍ଗିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କ ଏକ୍ସ-ରେ ମଧ୍ୟ କରୁଥିଲେ। ରିପୋର୍ଟ ଦେବା ସମୟରେ ଟେକ୍ନିସିଆନ୍ ବାଳିକାଙ୍କ ବଦଳରେ ବୟସ୍କ ବ୍ୟକ୍ତିଙ୍କ ଏକ୍ସ-ରେ ରିପୋର୍ଟ ପରିବାର ଲୋକଙ୍କୁ ଦେଇଦେଇଥିଲେ। ପରିବାର ଲୋକେ ଉକ୍ତ ରିପୋର୍ଟ ଆଉଡୋରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ରିପୋର୍ଟ ଭଲ୍ ଭାବେ ଯାଞ୍ଚ ନ କରି ଗୋଡ଼ ଭାଙ୍ଗିଥିବା ଦେଖି ଅପରେସନ୍ ସହ ପ୍ଲାଷ୍ଟରିଂ କରିବାକୁ ପରାମର୍ଶ ଦେଇ ବାରିପଦା ରେଫର୍ କରିଥିଲେ। ଅପରେସନ୍ କଥା ଶୁଣି ପରିବାର ବିଚଳିତ ହୋଇପଡ଼ିଥିଲା। ଏଵଂ ବ୍ୟସ୍ତବିବ୍ରତ ହୋଇ ଧାର କରଜ କରି ଟଙ୍କାନେଇ ଅପରେସନ ପାଇଁ ଯାଉ ଥିଲେ। ଏହି ସମୟରେ ଜଣେ ସମ୍ପର୍କୀୟଙ୍କ ସନ୍ଦେହ ହେବାରୁ ନାବାଳିକାଙ୍କୁ ନେଇ ଏକ ଘରୋଇ କ୍ଲିନିକ୍କୁ ଯାଇ ପୁନଃ ଏକ୍ସ-ରେ କରାଯାଇଥିଲା। ନୂଆ ରିପୋର୍ଟରେ କୌଣସି ଫ୍ରାକ୍ଚର୍ ନଥିବା ଜଣାପଡ଼ିଥିଲା ଏବଂ ଡାକ୍ତର କେବଳ ପ୍ଲାଷ୍ଟରିଂ କରି ଚିକିତ୍ସା କରିଥିଲେ। ଏହା ପରେ ପରିବାର ଲୋକେ ବାରିପଦାରେ ଆଉ ଏକ ଏକ୍ସ-ରେ କରାଇ ନିଶ୍ଚିତ କରିଥିଲେ ଯେ ବାଳିକାଙ୍କ ଗୋଡ଼ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ବେତନଟୀ ଡାକ୍ତରଖାନାର ରିପୋର୍ଟ ବୟସ୍କ ବ୍ୟକ୍ତିଙ୍କର ଥିଲା। ଏହାପରେ ଉକ୍ତ ନାବାଳିକାଙ୍କ ପିତାମାତା ଡାକ୍ତରଖାନା ପହଞ୍ଚି ଭୁଲ୍ ପ୍ଲାଷ୍ଟରିଂ ଖୋଲିବାକୁ କହିଥିଲେ। ଏଵଂ ଉକ୍ତ ଏକ୍ସ-ରେ ଟେକନିସିଆନ ଓ ଆଉଡୋରରେ କାର୍ଯ୍ୟରତ ଡାକ୍ତର କଣ ପାଇଁ ଭୁଲ ରିପୋର୍ଟ ଦେଲେ ଓ କାର୍ଯ୍ୟରତ ଡାକ୍ତର ଭଲ ଭାବରେ ଯାଞ୍ଚ ନକରି କଣ ପାଇଁ ବାରିପଦା ରେଫର କରି ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦେଲେ ତାହା ପଚାରି ଥିଲେ। ଏହା ସହିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ପରାମର୍ଶ କ୍ରମେ ଏହି ଦୁଇ ଅଧିକାରୀ ଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଇଥିଲେ। ଏବାବଦ ରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ସିପୁନ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ମୁଁ ଘଟଣା ସମ୍ପର୍କରେ ଅବଗତ ଅଛି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇ ତଦନ୍ତ ପାଇଁ ଅନୁରୋଧ କରିଛି। ପରିବାର ଲୋକେ ପ୍ରଶ୍ନ କରିଛନ୍ତି ଯେ, ଏପରି ଅବହେଳା ଯୋଗୁଁ କୌଣସି ଅଘଟଣ ଘଟିଲେ କିଏ ଦାୟୀ ହୋଇଥାନ୍ତେ ? ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରଭାବିତ କରିଛି। ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀମାନେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
