ସୋରରେ ନୂତନ ଆଇଟି ସେଣ୍ଟର ଖୋଲିବ ପର୍ଫର୍ମାଲିଟିକ୍ କର୍ପୋରେସନ , ଭୁବନେଶ୍ୱର ବାହାରେ ଆଇଟି ବିସ୍ତାରର ଏକ ବଡ଼ ପଦକ୍ଷେପ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) ::: ଓଡ଼ିଶାର ଆଇଟି ଏବଂ ସଫ୍ଟୱେର ଶିଳ୍ପରେ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛି ପର୍ଫର୍ମାଲିଟିକ୍ କର୍ପୋରେସନ। ଚିକାଗୋ, ଆମେରିକା ଏବଂ ପଟିଆ, ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ଏହି କମ୍ପାନୀ ବାଲେଶ୍ୱର ଜିଲ୍ଲାର ସୋରରେ ନୂତନ ସଫ୍ଟୱେର ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିଛି।ପୌର ପାଳିକା ଅନ୍ତର୍ଗତ କଲେଜ ଛକରେ ଥିବା ଓମ ସାଇ ମଣ୍ଡପରେ ଏହାର ଉଦଘାଟନ ଆଭାସୀ ମାଧ୍ଯମରେ ଏସଡିପିଆଇର ଓଡ଼ିଶା ମୁଖ୍ୟ ମାନସ ପଣ୍ଡା କରିବା ସଙ୍ଗେ ସଙ୍ଗେ ନିଜର ବକ୍ତବ୍ୟ ରଖିଥିଲେ। ଏହା ଦ୍ୱାରା ଭୁବନେଶ୍ୱର ବାହାରେ ଆଇଟି ଶିଳ୍ପକୁ ବିସ୍ତାର କରିବାର ଏକ ପ୍ରଥମ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କମ୍ପାନୀର ପ୍ରତିଷ୍ଠାତା ଇ. ନିହାର ରଞ୍ଜନ ରାଉତ ମତବ୍ୟକ୍ତ କରିଛନ୍ତି। ଏସଟିପିଆଇର ବାଲେଶ୍ବର ମୁଖ୍ୟ ବିଶ୍ୱକିଶୋର ଦେ ଯୋଗ ଦେଇ ଏହି ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ ଆଗକୁ ଆହୁରି ଅନେକ ସଫ୍ଟୱାୟାର କମ୍ପାନୀ ବାଲେଶ୍ଵରକୁ ଆସିବା ଏବଂ ବାଲେଶ୍ଵର ଆଇଟି ହବ ହେବ ବୋଲି ମତବ୍ୟକ୍ତ କରିଥିଲେ। ବର୍ଷରୁ ବର୍ଷ ଧରି ଓଡ଼ିଶାର ଅଧିକାଂଶ ଆଇଟି ଚାକିରି ଓ ଟେକ୍ନୋଲୋଜି ସୁଯୋଗ ଓଡ଼ିଶାର କେବଳ ଭୁବନେଶ୍ୱର ସହରକୁ କେନ୍ଦ୍ର କରି ରହିଥିଲା। ଫଳରେ ଜିଲ୍ଲା ଓ ଗ୍ରାମୀଣ ଅଞ୍ଚଳର ଅନେକ ପ୍ରତିଭାଶାଳୀ ଯୁବକ,ଯୁବତୀ ଚାକିରି ପାଇଁ ବଡ଼ ସହରକୁ ପ୍ରବାସ କରିବାକୁ ବାଧ୍ୟ ହେଉଥିଲେ।
ସୋରରେ ଆଇଟି ସେଣ୍ଟର ସ୍ଥାପନା କରି ପର୍ଫର୍ମାଲିଟିକ୍ କର୍ପୋରେସନ ପ୍ରମାଣ କରିବାକୁ ଚାହୁଁଛି ଯେ, ଆଧୁନିକ କ୍ଲାଉଡ୍ ଟେକ୍ନୋଲୋଜି, ଡିଜିଟାଲ୍ ସଂଯୋଗ ଏବଂ ରିମୋଟ୍ କୋଲାବୋରେସନ୍ ମାଧ୍ୟମରେ ଭୁବନେଶ୍ୱର ବାହାରେ ମଧ୍ୟ ବିଶ୍ୱସ୍ତରୀୟ ସଫ୍ଟୱେର ଟିମ ଗଢ଼ିଉଠିପାରିବ।କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଜଣ ଯୁବ ସ୍ନାତକଙ୍କୁ ସଫ୍ଟୱେର ଡେଭେଲପର, ସଫ୍ଟୱେର ଇଞ୍ଜିନିୟର ଏବଂ ସଫ୍ଟୱେର ଟେଷ୍ଟର ଭାବେ ନିଯୁକ୍ତ କରିବ। ଆଗାମୀ ସମୟରେ ଏହି ସେଣ୍ଟରକୁ ୧୦୦ ସଦସ୍ୟର ଟେକ୍ନୋଲୋଜି ଡେଲିଭରି ୟୁନିଟ୍ରେ ପରିଣତ କରାଯିବ ବୋଲି ଏହାର ଓଡିଶା ନିଯୁକ୍ତି ମୂଖ୍ୟ ସୌମ୍ୟ ଶ୍ରୀ ଆଶିର୍ବାଦମ୍ ସୁଚନା ଦେଇଥିଲେ।
କମ୍ପାନୀର ଏହି ପଦକ୍ଷେପ ସ୍ଥାନୀୟ ଯୁବ ଗୋଷ୍ଠୀଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି କରିବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଶକ୍ତିଶାଳୀ କରିବ। ଘର ଭଡା, ଯାତାୟାତ, ଖାଦ୍ୟ, ଛୋଟ ବ୍ୟବସାୟ ଓ ଅନ୍ୟାନ୍ୟ ସେବାକ୍ଷେତ୍ରରେ ଆର୍ଥିକ କାର୍ଯ୍ୟକଳାପ ବଢ଼ିବାର ସମ୍ଭାବନା ରହିଛି।ସୋର ଏବଂ ଆଖପାଖ ଅଞ୍ଚଳର ଯୁବ ଏବଂ ଶିକ୍ଷିତ ଲୋକମାନଙ୍କ ମଧ୍ୟରେ ଏହି ପଦକ୍ଷେପକୁ ନେଇ ବେଶ ଉତ୍ସାହ ଦେଖାଦେଇଛି। ଅନେକଙ୍କ ଆଶା ପର୍ଫର୍ମାଲିଟିକ୍ କର୍ପୋରେସନର ଏହି ପଦକ୍ଷେପ ଅନ୍ୟ ଆଇଟି ଏବଂ ଟେକ୍ନୋଲୋଜି କମ୍ପାନୀମାନଙ୍କୁ ମଧ୍ୟ ସୋର ଓ ଓଡ଼ିଶାର ଅନ୍ୟ ଛୋଟ ସହରଗୁଡ଼ିକରେ ଅଫିସ୍ ଖୋଲିବା ପାଇଁ ପ୍ରେରିତ କରିବ। ଏହା ଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ଅଧିକ ଚାକିରି, ଦକ୍ଷତା ବିକାଶ ଏବଂ ଆର୍ଥିକ ସୁଯୋଗ ସୃଷ୍ଟି ହେବ।
ଏହା ସହିତ ପର୍ଫର୍ମାଲିଟିକ୍ କର୍ପ ବାଲେଶ୍ୱର ଜିଲ୍ଲା ଏବଂ ଆଖପାଖ ଅଞ୍ଚଳର ସ୍କୁଲ୍ ଓ କଲେଜରେ ନିଶୁଳ୍କ ସେମିନାର, ୱାର୍କଶପ୍ ଏବଂ କ୍ୟାରିଅର ଅବଗତି କାର୍ଯ୍ୟକ୍ରମ ଆୟୋଜନ କରିବ। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଫ୍ଟୱେର ଇଞ୍ଜିନିୟରିଂ, ଏ ଆଇ,କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଓ ଆଧୁନିକ ଟେକ୍ନୋଲୋଜି କ୍ଷେତ୍ରରେ ଥିବା ସୁଯୋଗ ବିଷୟରେ ସଚେତନ କରାଯିବ।କମ୍ପାନୀର ମତାନୁସାରେ, ଟେକ୍ନୋଲୋଜି ସୁଯୋଗ କେବଳ ବଡ଼ ସହରରେ ସୀମିତ ରହିବା ଉଚିତ ନୁହେଁ। ଗ୍ରାମୀଣ ପ୍ରତିଭା, ଶିକ୍ଷା ଓ ଡିଜିଟାଲ୍ ଢାଞ୍ଚାରେ ନିବେଶ ମାଧ୍ୟମରେ ଓଡ଼ିଶାରେ ଏକ ଦକ୍ଷ, ସ୍ୱାବଲମ୍ବୀ ଏବଂ ଭବିଷ୍ୟତମୁଖୀ କାର୍ଯ୍ୟଶକ୍ତି ଗଢ଼ିଉଠିବ।
