*ଓକିଲଙ୍କୁ ଅପହରଣ ଓ ହତ୍ୟା ଧମକ, ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ଅଭିଯୋଗ*
ବସ୍ତା:- (ନି.ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ୱର ଜିଲ୍ଲା ବସ୍ତା କୋର୍ଟର କାର୍ଯ୍ୟରତ ଆଇନଜୀବୀ ସୁଷମା ନାୟକଙ୍କୁ ଅପହରଣ ଓ ହତ୍ୟା ଧମକ ଦିଆଯାଉଥିବା ନେଇ ସେ ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁଷମାଙ୍କ ଅଭିଯୋଗ ଅନୁଯାୟୀ, ସେ ହାତକୁ ନେଉଥିବା ମାମଲାଗୁଡ଼ିକ ଉପର କୋର୍ଟରେ ତାଙ୍କ ସପକ୍ଷରେ ଯାଉଥିବାରୁ ପ୍ରତିପକ୍ଷ ପକ୍ଷରୁ କିଛି ଅସାମାଜିକ ବ୍ୟକ୍ତିଙ୍କୁ ଲଗାଇ ତାଙ୍କୁ ଅପହରଣ କରି ହତ୍ୟା କରିବାକୁ ଯୋଜନା କରାଯାଇଥିଲା। ଯୋଜନା ବିଫଳ ହେବା ପରେ ଏବେ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦିଆଯାଉଥିବା ସେ କହିଛନ୍ତି। ଏନେଇ ସେ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁଲିସ ପକ୍ଷରୁ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ କରିଛନ୍ତି। ପୁଲିସ କେବଳ ତଦନ୍ତ ଚାଲିଥିବା କହି ଦାୟିତ୍ୱ ସାରୁଥିବା ସେ ଅଭିଯୋଗ କରିଛନ୍ତି। ସେହିପରି, ତାଙ୍କ ପ୍ରତି କୌଣସି ଅପ୍ରୀତିକର ଘଟଣା ଘଟିଲେ ଏଥିପାଇଁ ଅଭିଯୁକ୍ତ ପକ୍ଷ ସହ ପୁଲିସ ମଧ୍ୟ ଦାୟୀ ରହିବେ ବୋଲି ସୁଷମା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଘଟଣାରେ ସେଖ ନିୟାଜୁଦ୍ଦିନ, ରାମଚନ୍ଦ୍ର ଜେନା, ଲକ୍ଷ୍ମଣ ଜେନା, ସନାତନ ଜେନା, ସେଖ ବାନୁଆ, ସେଖ ତୈରୁଦ୍ଦିନ, ସେଖ ସୈରୁଦ୍ଦିନଙ୍କ ସମେତ ଅନ୍ୟ କିଛି ବ୍ୟକ୍ତିଙ୍କ ନାମରେ ସେ ଅଭିଯୋଗ ଆଣିଛନ୍ତି।
ତେବେ ଅଭିଯୋଗର ସତ୍ୟତା, ଧମକର ପ୍ରକୃତ କାରଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
