ଓଡ଼ିଆ ଭର୍ଚୁଆଲ ଏକାଡେମୀର ‘ଭାଷା ସମୃଦ୍ଧି ଅଭିଯାନ’ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ
ଦେବଗଡ଼: ସ୍ଥାନୀୟ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଓଡ଼ିଆ ଭର୍ଚୁଆଲ ଏକାଡେମୀ ପକ୍ଷରୁ ଚାଲିଥିବା ଭାଷା ସମୃଦ୍ଧି ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ମୁକେଶ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ଜିଲ୍ଲାପାଳ ଶ୍ରୀ ସାହୁ ଜିଲ୍ଲାରେ ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ ଓ ଇତିହାସର ସୁରକ୍ଷା ଓ ପ୍ରଚାର ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଡିଜିଟାଇଜେସନ୍ ମାଧ୍ୟମରେ ଏହି ଅମୂଲ୍ୟ ଐତିହ୍ୟକୁ ସଂରକ୍ଷଣ, ଉନ୍ନତିକରଣ ଓ ମାନବୃଦ୍ଧି କରିବା ସହିତ କୃତ୍ରିମ ବୁଦ୍ଧିମତା ଓ ଆଧୁନିକ ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ଏକ ଆଦର୍ଶ ଡିଜିଟାଲ ଭାଷା ଭଣ୍ଡାର ତିଆରି କରିବାକୁ ପରାମର୍ଶ ଦେଇଥିଲେ।
ସେହିପରି ଓଡ଼ିଆ ଭାଷା ଭଣ୍ଡାରକୁ ଭାରତ ସରକାରଙ୍କ ‘ଭାଷିନି’ ପ୍ଲାଟଫର୍ମ ସହିତ ସଂଯୋଗ କରିବା ମାଧ୍ୟମରେ ଓଡ଼ିଶାର ବିଭିନ୍ନ ମୂଲ୍ୟବାନ କୃତିକୁ ଅନ୍ୟ ଭାରତୀୟ ଭାଷା ଓ ଇଂରାଜୀରେ ସହଜରେ ଅନୁବାଦ କରିପାରିବାକୁ ଉଲ୍ଲେଖ କରିଥିଲେ। ଏହା ସହିତ ଏହି ଭାଷା ଭଣ୍ଡାରରେ ସଂଗୃହୀତ ତଥ୍ୟକୁ ୱିକି, ଗୁଗଲ୍ ଓ ମାଇକ୍ରୋସଫ୍ଟ ପରି ବିଭିନ୍ନ ଡିଜିଟାଲ ସର୍ଚ୍ଚ ଇଞ୍ଜିନକୁ ମୁକ୍ତ ତଥ୍ୟ ଭାବରେ ଉପଲବ୍ଧ କରାଇବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକରେ ବିଶିଷ୍ଟ ବ୍ୟକ୍ତିତ୍ୱ, ପ୍ରମୁଖ ସ୍ଥାନ, କୃତି, ସଂସ୍ଥା, ପ୍ରଶାସନିକ ବିଧି ଓ ନିୟମାବଳୀ ସହିତ ଆୟୁଷ, ଜଗନ୍ନାଥ ସଂସ୍କୃତି, ପାରମ୍ପରିକ ଔଷଧ, ଭାଷା, କଳା, ସାହିତ୍ୟ, ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, କୃଷି, ମତ୍ସ୍ୟ ଓ ପଶୁପାଳନ, କ୍ରୀଡ଼ା, ସିନେମା, ଇତିହାସ, ଅର୍ଥନୀତି, ପୋଷକତତ୍ତ୍ୱ, ଭେଷଜ ବିଜ୍ଞାନ, ପରିବେଶ, ଉଦ୍ଭିଦ ବିଜ୍ଞାନ, ମନ୍ଦିର ଓ ପୁରାତନ ସ୍ଥାପତ୍ୟ ସହିତ ସ୍ମରଣୀୟ ଘଟଣାବଳି ସମ୍ପର୍କିତ ତଥ୍ୟ ସଂଗ୍ରହ ଓ ଡିଜିଟାଇଜେସନ୍ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ବୈଠକରେ ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଧୀରଜ୍ ଚପରଦାର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଜିଲ୍ଲାପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲୀପ କୁମାର ପ୍ରଧାନ, ଏସିଏଫ୍ ଅରୁଣ କୁମାର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର୍, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ପ୍ରଭାତ କୁମାର ଓଝା, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଶୋକ ଇନ୍ଦୁଆର୍, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ପାତ୍ର, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ କୃଷି ଅନ୍ତର୍ଯ୍ୟାମୀ ସାହୁ ସହିତ ଜିଲ୍ଲା ଇ-ଗଭର୍ନାନ୍ସ ପରିଚାଳକ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
