*ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: ଅନ୍ଧାରରେ ରୋଗୀ ଚିକିତ୍ସା, ଜେନେରେଟର ଥାଇ ବି ଲାଭ ମିଳୁନଥିବା ଅଭିଯୋଗ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୨୪/୦୯
ନୂଆପଡ଼ା ଜିଲ୍ଲାର ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ପରିଚିତ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଚରମ ଅବ୍ୟବସ୍ଥା ଦେଖାଦେଇଛି। ବିଦ୍ୟୁତ ସରବରାହ ବନ୍ଦ ହେଲେ ସମଗ୍ର ହସପିଟାଲ ଅନ୍ଧାରରେ ବୁଡ଼ି ରହୁଥିବା ବେଳେ ମୋବାଇଲ ଟର୍ଚ୍ଚ ଏବଂ ଜରୁରୀକାଳୀନ ଆଲୋକ ସାହାଯ୍ୟରେ ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ଭଳି ସଙ୍ଗୀନ ଚିତ୍ର ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ଡାକ୍ତରଖାନାରେ ଥିବା ଇନଭର୍ଟର ବ୍ୟାଟେରି ବେକବ ଦେଉନାହିଁ କି ଡିଜି ମଧ୍ୟ ଚାଲୁ କରୁ ନାହାନ୍ତି। ବିଜୁଳି ଗଲେ ସଙ୍ଗେ ସଙ୍ଗେ ବିଭିନ୍ନ ୱାର୍ଡ ଅନ୍ଧାର ହୋଇଯାଉଛି। ଅନ୍ୟପଟେ ହସ୍ପିଟାଲ ପରିସରରେ ଜେନେରେଟର (ଡିଜି) ବ୍ୟବସ୍ଥା ଥିଲେ ମଧ୍ୟ ତାହାକୁ ନିୟମିତ ଚଳାଯାଉ ନାହିଁ। କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଘଣ୍ଟା ଘଣ୍ଟା ଧରି ଲାଇନ୍ ନଥିଲେ ହେଁ ଜେନେରେଟର ଚାଲୁ କରାଯାଉ ନଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ଅନ୍ଧାର ମଧ୍ୟରେ ସାଲାଇନ୍ ଲଗାଇବା, ଇଞ୍ଜେକ୍ସନ ଦେବା ତଥା ଜରୁରୀ ଚିକିତ୍ସା ଯୋଗାଇବାରେ ଡାକ୍ତର ଓ ନର୍ସମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଅବହେଳା ଯୋଗୁଁ ୱାର୍ଡରେ ଭର୍ତ୍ତି ହୋଇଥିବା ଗୁରୁତର ରୋଗୀ, ପ୍ରସୂତି ମହିଳା ଓ ନବଜାତ ଶିଶୁମାନେ ପ୍ରବଳ ଅସୁବିଧା ଭୋଗୁଛନ୍ତି।
ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଓ ମୁଖ୍ୟ ଚିକିତ୍ସାଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଇନଭର୍ଟର ମରାମତି କରିବା ସହ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇବାକୁ ସାଧାରଣରେ ଦାବି ହୋଇଛି।
