ଗ୍ରାମ୍ୟ ରାସ୍ତା ପାଲଟି ଗଲାଣି ଛୋଟ ନଈ ର ରୁପରେଖ, ଡ୍ରେନେଜ ନିର୍ମାଣ ପାଇଁ ଗ୍ରାମ ବାସୀଙ୍କ ଦାବି।
ରଘୁନାଥପୁର(ନି.ପ୍ର): ବର୍ଷା ଦିନ ଆସିଗଲେ ଯେପରି ନଈ ପାର୍ଶ୍ୱବର୍ତ୍ତୀ ଥିବା ଲୋକ ମାନଙ୍କୁ ବିପଦ ଆସିଥାଏ ଠିକ୍ ସେହିପରି ଅସରାଏ ବର୍ଷା ହୋଇଗଲେ ବିପଦ ଆସୁଛି ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ପଞ୍ଚାୟତ ର ଗୋକଳପୁର ଅନ୍ତେବାସୀ ମାନଙ୍କୁ। ମଧ୍ୟମ ଧରଣର ବର୍ଷା ଟିକେ ହୋଇଗଲେ ଗାଁ ଦାଣ୍ଡରେ ଜମି ରହୁଛି ୨ ଫୁଟ ଉଚ୍ଚର ପାଣି। ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘବର୍ଷ ଧରି ଏପରି ସମସ୍ୟା ଲାଗିରହିଥିଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ଡ୍ରେନେଜ ବ୍ୟବସ୍ଥା କରାଯାଇ ପାରିଲା ନାହିଁ। ଏହି ସ୍ଥାନ ଗ୍ରାମର ମଧ୍ୟ ସ୍ଥଳରେ ରହିଥିବା ବେଳେ ବର୍ଷାଦିନେ ଏହି ପାର୍ଶ୍ଵ ଦେଇ ଗାଁ ଗୋଟାକର ବର୍ଷାପାଣି ନିଷ୍କାସିତ ହୋଇଥାଏ। କିନ୍ତୁ ରାସ୍ତାର ଉଭୟ ପାର୍ଶ୍ବରେ ଲୋକେ ଘରବାଡି କରି ଉଚ୍ଚା କରିଦେଇଥିବାରୁ ବର୍ଷାପାଣି ନିଷ୍କାସିତ ହୋଇନପାରି ଏହି ସ୍ଥାନରେ ଜମି ରହୁଛି, ଫଳରେ ଲୋକେ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଙ୍ଗନୱାଡ଼ି ଶିଶୁ, ସ୍କୁଲ ଓ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ଗ୍ରାମ୍ୟଲୋକେ ବାଧ୍ୟ ହୋଇ ଆବର୍ଜନା ପାଣିରେ ପଶି ଯିବାକୁ ବାଧ୍ୟହେଉଛନ୍ତି। ଏହାଛଡା ପ୍ରତ୍ୟେକ ଦିନ ମା ମାଲିକେଶ୍ୱରି, ଆଖଣ୍ଡଳମଣି ମନ୍ଦିରକୁ ଗ୍ରାମର ମହିଳା ଓ ପୁରୁଷମାନେ ଏହି ଆବର୍ଜନା ପାଣିରେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି। ଏହା ଏକ ସ୍ପର୍ଶକାତର ବିଷୟ ହୋଇଥିବାବେଳେ ଏଠାରେ ଏକ ଡ୍ରେନେଜ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ପତ୍ର ସଂଖ୍ୟା ୩୪୫୯/ ୨୭ ଅକ୍ଟୋବର ୨୦୨୫ ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗ କରାଯାଇଥିଲା ଓ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଡିଓ ରଘୁନାଥପୁରଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା। ରଘୁନାଥପୁର ବ୍ଲକ ବିଡିଓ ବିରଞ୍ଚି ନାରାୟଣ ବେହେରା ଯନ୍ତ୍ରୀଙ୍କୁ ପଠାଇ ଏହାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ ତେବେ ଅଦ୍ୟାବଧି କୌଣସି ପ୍ରତିକାର କରାଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଅପରପକ୍ଷେ ସାମାନ୍ୟ ଅସରାଏ ବର୍ଷାରେ ଉକ୍ତ ସ୍ଥାନରେ ପାଣି ଜମି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସ୍ରୁଷ୍ଟି କରୁଛି । ଏ ଦିଗରେ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ଓ ଜିଲ୍ଲାପାଳ ଦୃଷ୍ଟିଦେବା ପାଇଁ ଗ୍ରାମ ବାସୀଙ୍କ ପକ୍ଷରୁ ବିପିନ କୁମାର ସିଂହ, ହରେକୃଷ୍ଣ ସାହୁ, ଚନ୍ଦ୍ରଶେଖର ସିଂହ, ଜୟନ୍ତ କୁମାର ସିଂହ, ଲିପନ ସାହୁ ଓ ଟୁକୁନା ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି। ଏ ଦିଗରେ ଯଦି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
