*ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ରକ୍ତ ସିକୁଳି ନିୟନ୍ତ୍ରଣ, ଏଚପିଭି ଟିକାକରଣ ଓ ପରିବାର କଲ୍ୟାଣ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୯/୦୪:
ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦ୍ୱାରିକାନାଥ ସତପଥୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।ଜିଲ୍ଲାପାଳ ଜିଲ୍ଲାରେ ରକ୍ତ ସିକୁଳି (Sickle Cell) ରୋଗ ଚିହ୍ନଟ ଓ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଏଏନଏମ ଓ ଆଙ୍ଗନୱାଡି କର୍ମୀଙ୍କ ସହଯୋଗରେ ଜିଲ୍ଲା ବ୍ୟାପି ଏକ ବ୍ୟାପକ ସର୍ଭେ କରାଯିବ। ସମସ୍ତ ନବଦମ୍ପତିଙ୍କର ରକ୍ତ ସିକୁଳି ପରୀକ୍ଷା ନିଶ୍ଚିତ କରାଯିବ ଏବଂ ଚିହ୍ନଟ ରୋଗୀଙ୍କ ପାଇଁ ବିଶେଷ ଯତ୍ନ ନିଆଯିବ। ଏହି ରୋଗରେ ପୀଡିତ ମହିଳା ଗର୍ଭଧାରଣ କଲେ ଉଭୟ ମା’ ଓ ଶିଶୁ ଜୀବନ ପ୍ରତି ବିପଦ ରହିଥିବାରୁ ପୀଡିତ ମହିଳାଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସଚେତନ କରାଯିବ।
ଜିଲ୍ଲାପାଳ ଆହୁରି ନିର୍ଦ୍ଦେଶ ଦେଇଥିଲେ ଯେ, ସରକାରୀ ଯୋଜନା ସମ୍ପର୍କରେ ଆଙ୍ଗନୱାଡି କର୍ମୀ ଓ ଏଏନଏମ ମାନଙ୍କର ଜ୍ଞାନ ବୃଦ୍ଧି ପାଇଁ ପ୍ରତିମାସ ତାଙ୍କର ପରୀକ୍ଷା ଆୟୋଜନ କରାଯିବ।
ଜିଲ୍ଲାରେ ଲିଙ୍ଗ ଅନୁପାତ ସୁଧାର ପାଇଁ ଅବୈଧ ଲିଙ୍ଗ ନିର୍ଣ୍ଣୟ ପ୍ରକ୍ରିୟା ଉପରେ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଦ୍ୱାରା ଔଷଧ ଦୋକାନ ଓ କ୍ଲିନିକ ଉପରେ ଚଢ଼ାଉ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ୧୦୦ ପ୍ରତିଶତ ଏଚପିଭି ଟିକାକରଣ ସୁନିଶ୍ଚିତ କରିବାକୁ କହିଥିଲେ।ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗ୍ରୀଷ୍ମ ଲହରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାରେ ନିଆଯାଇଥିବା ପ୍ରସ୍ତୁତି ବିଷୟରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା।ବୈଠକରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଅନୁସାରେ ୨୦୨୪-୨୫ ଓ ୨୦୨୫-୨୬ (ଏପ୍ରିଲ-ଫେବ୍ରୁଆରୀ) ସମୟସୀମାରେ ମହିଳା ନିର୍ବନ୍ଧନ କ୍ଷେତ୍ରରେ ଜିଲ୍ଲାର ସମୁଦାୟ ସଫଳତା ହାର ୬୬ ପ୍ରତିଶତରୁ ବୃଦ୍ଧି ପାଇ ୮୬ ପ୍ରତିଶତକୁ ପହଞ୍ଚିଛି। ଏହାସହିତ, ସି-ସେକ୍ସନ ଡେଲିଭରି ହାରକୁ ୨୦ ପ୍ରତିଶତ ମାନଦଣ୍ଡ ନିକଟକୁ ଆଣିବା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୫-୨୬ ମସିହାରେ ମୋଟ ଇନ୍ଷ୍ଟିଟ୍ୟୁସନାଲ ଡେଲିଭରି ୯୨୬୮କୁ ବୃଦ୍ଧି ପାଇଥିବାବେଳେ ସି-ସେକ୍ସନ ହାର ପ୍ରାୟ ୩୦ ପ୍ରତିଶତ ରହିଛି।ବୈଠକରେ ଡିପିଏମଓ ସତ୍ୟନାରାୟଣ ତ୍ରିପାଠୀ, ଡିଏମଓ(ଏମଏସ୍)-କମ୍-ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଲଳିତ ମୋହନ ବିଶି, ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ଜ୍ୟୋତିର୍ମୟ ସୁଭେନ୍ଦୁ ମହାନ୍ତି, ଏଡିପିଏଚଓ (କୁଷ୍ଠ) ଡାକ୍ତର ତନ୍ମୟ ତ୍ରିପାଠୀ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
