*ନୂଆପଡ଼ାରେ ସମନ୍ଵିତ ଶିଶୁ ବିକାଶ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୯/୦୪:
ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସମନ୍ୱିତ ଶିଶୁ ବିକାଶ ଯୋଜନା (ICDS) ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ପ୍ରକଳ୍ପର କାର୍ଯ୍ୟଦକ୍ଷତା, ଆଧାର ଅପଡେଟ, କର୍ମଚାରୀ ପଦସ୍ଥିତି ଓ ଆଙ୍ଗନବାଡ଼ି କେନ୍ଦ୍ର (AWC) ଭବନ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।ଏହି ଯୋଜନା ଅନ୍ତର୍ଗତ, ଜିଲ୍ଲାର ବୋଡେନ ବ୍ଲକରେ ୧୦,୬୬୨, ଖରିଆର ରେ ୧୪,୯୪୫, କୋମନା ରେ ୧୬,୩୧୭, ନୂଆପଡ଼ା ରେ ୧୯,୮୧୫ ଓ ସିନାପାଲି ରେ ୧୩,୨୮୭ ସେହିପରି ମୋଟ ୭୬,୦୨୬ ଜଣ ହିତାଧୀକାରୀ ଅଛନ୍ତି। ଏହି ସମସ୍ତ ହିତାଧିକାରୀଙ୍କ ୧୦୦ ପ୍ରତିଶତ ଆଧାର ଅପଡେଟ ସମ୍ପନ୍ନ ହୋଇଥିବା ଉପସ୍ଥାପିତ ରିପୋର୍ଟରୁ ଜଣାପଡ଼ିଛି।କର୍ମଚାରୀ ପଦସ୍ଥିତି ସମ୍ପର୍କରେ ଜଣାପଡ଼ିଛି ଯେ, CDPO ସ୍ତରରେ ୫ଟି ପଦ ମଞ୍ଜୁର ହେଇଥିବା ବେଳେ ସମସ୍ତ ପଦ ପୂରଣ ହୋଇଛି। ସୁପରଭାଇଜର ପଦରେ ୫୫ଟି ପଦ ମଧ୍ୟରୁ ୩୦ଟି ପୂରଣ ଓ ୨୫ଟି ଖାଲି ରହିଛି। AWW (ଆଙ୍ଗନବାଡ଼ି କର୍ମୀ) ପଦରେ ୧୪୦୮ଟି ମଞ୍ଜୁର ପଦ ମଧ୍ୟରୁ ୧୩୯୪ଟି ପୂରଣ ଓ ୧୪ଟି ଖାଲି ରହିଛି। ସହାୟିକା (AWH) ପଦରେ ମଧ୍ୟ ୧୪୦୮ଟି ପଦ ମଧ୍ୟରୁ ୧୩୯୫ଟି ପୂରଣ ଓ ୧୩ଟି ଖାଲି ଥିବା ଜଣାପଡ଼ିଛି।ଆଙ୍ଗନବାଡ଼ି କେନ୍ଦ୍ର ଭବନ ସମ୍ପର୍କରେ ଦିଆଯାଇଥିବା ରିପୋର୍ଟ ଅନୁସାରେ ଜିଲ୍ଲାରେ ମୋଟ ୧୪୦୮ଟି AWC ରହିଛି। ଏଥିରୁ ୧୨୦୪ଟି ନିଜସ୍ୱ ଗୃହରେ ଚାଲୁଥିବା ବେଳେ ୨୭ଟି ସ୍କୁଲ୍ ଭିତରେ, ୧୦୬ଟି ଭଡା ଘରରେ ଓ ୭୧ଟି ଅନ୍ୟ ଭବନରେ ଚାଲୁଛି। ଏହା ସହ ୭୯ଟି କେନ୍ଦ୍ର ନିର୍ମାଣାଧୀନ ଅବସ୍ଥାରେ ରହିଛି।
ଏହି ଅବସରରେ ଉତ୍କୃଷ୍ଟ କାର୍ଯ୍ୟପାଇଁ ଆଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ବୋଡେନ ବ୍ଲକ୍ର ସାଲେପଡ଼ା ଆଙ୍ଗନବାଡ଼ି କେନ୍ଦ୍ରର ନିର୍ଗୁଣୀ ଦଳକୁ ୧୦୦ ପ୍ରତିଶତ ପ୍ରି-ସ୍କୁଲ୍ ଉପସ୍ଥାପନା ପାଇଁ ଶ୍ରେଷ୍ଠ କର୍ମୀ ଭାବେ ସମ୍ୱର୍ଦ୍ଧିତ କରାଯାଇଛି। ଆଶୋକ କୁମାରୀ ସାହୁ ଓ ରୀମା ସାହୁଙ୍କୁ ଶ୍ରେଷ୍ଠ ଶାଶୁ-ବହୁ ମେଳି ଭାବେ ପୁରସ୍କୃତ କରାଯାଇଛି। ଚନାମୁଣ୍ଡା ଆଙ୍ଗନବାଡ଼ି କେନ୍ଦ୍ରର ସୁଭଦ୍ରା ମାଝୀଙ୍କୁ ଶ୍ରେଷ୍ଠ ପୋଷଣ ବାଟିକା ପାଇଁ ସମ୍ମାନୀତ କରାଯାଇଛି। ଦମ୍ପତି ପୂଜା ରାଣୀ ନାୟକ ଓ ନଦ୍ଦକୁ ଡୋଙ୍ଗ୍ରୀଙ୍କୁ ଶ୍ରେଷ୍ଠ ସ୍ବାମୀ-ସସ୍ତ୍ରୀ ଯୋଡ଼ି ଭାବେ ପୁରସ୍କୃତ କରାଯାଇଥିଲା।ବୈଠକରେ ଉପ-ଜିଲ୍ଲାପାଳ ଶ୍ରୀମତୀ ସୂର୍ମି ସୋରେନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍. ଗୀତା, ବିଭିନ୍ନ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ଓ ଅନ୍ୟାନ୍ୟ ସମ୍ପୃକ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲାପାଳ ଶେଷରେ ICDS ଯୋଜନାର ସଫଳ କାର୍ଯ୍ୟନ୍ୱୟନ ପାଇଁ ସମସ୍ତଙ୍କୁ ସମନ୍ୱୟରେ କାମ କରିବାକୁ ଓ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ଉନ୍ନତି ପାଇଁ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
