*ନୂଆପଡାରେ ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ । ୧୬୨ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବି ମଞ୍ଜୁର।*
ନୂଆପଡ଼ା(ମିଖାଏଲ ନନ୍ଦ)
ତା:୨୯/୦୪
ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ଜଙ୍ଗଲ ଅଧିକାର) ଆଇନ, ୨୦୦୬ ଅନୁଯାୟୀ ଜିଲ୍ଲା ସ୍ତରୀୟ ଜଙ୍ଗଲ ଅଧିକାର କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବନଖଣ୍ଡ ଅଧିକାରୀ, ପ୍ରାନ୍ତୀୟ, ଆଜିଜ୍ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାଶ ଚନ୍ଦ୍ର ରଇତ, ଉପ-ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ ସହିତ ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଓ ବନାଞ୍ଚଳ ଅଧିକାରୀମାନେ ଉପସ୍ଥିତ ଥିଲେ।ବୈଠକରେ ଉପଖଣ୍ଡ ସ୍ତରୀୟ କମିଟିମାନଙ୍କ ଠାରୁ ପ୍ରେରିତ ୧୧୫୦ ଟି ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବି ମଧ୍ୟରୁ ୧୬୨ ଟି ଦାବିକୁ ମଞ୍ଜୁର କରାଯାଇଥିଲା। ଏହାସହ ୭୯୪ ଟି ଦାବିକୁ ବିଭିନ୍ନ କାରଣରୁ ନାମଞ୍ଜୁର କରାଯାଇଥିବାବେଳେ ୧୯୪ ଟି ଦାବି ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ ଜମି ସମ୍ପର୍କିତ ଥିବାରୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।ଏହାଛଡ଼ା, ପ୍ରାପ୍ତ ୬ ଟି ଗୋଷ୍ଠୀ ଜଙ୍ଗଲ ଅଧିକାର ଦାବି ମଧ୍ୟରୁ ୨ ଟି ମଞ୍ଜୁର, ୨ ଟି ନାମଞ୍ଜୁର ଓ ୨ ଟି ସ୍ଥଗିତ ରଖାଯାଇଥିଲା। ସେହିପରି ୭ ଟି ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦାବି ମଧ୍ୟରୁ ୪ ଟି ଦାବି ମଞ୍ଜୁର ଓ ୩ ଟି ନାମଞ୍ଜୁର ହୋଇଥିଲା।ବିଶେଷ ଉଲ୍ଲେଖନୀୟ ଯେ, ବୋଡେନ ବ୍ଲକର ସୁନାମୁଣ୍ଡି (୫୦୨.୪ ହେକ୍ଟର), ବୁଟୁପଡା (୨୦ ହେକ୍ଟର), ଧୋବେଇ (୪୭୮.୫୨ ହେକ୍ଟର) ଓ ବୋଇରାଗାଁ (୮୦୨ ହେକ୍ଟର) ଗ୍ରାମରେ ମୋଟ ୧୮୦୨.୯୨ ହେକ୍ଟର ଜଙ୍ଗଲ ଜମିକୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଦାବି ଅନୁଯାୟୀ ସ୍ୱୀକୃତି ପ୍ରଦାନ କରାଯାଇଛି, ଯାହାକି ଏକ ଐତିହାସିକ ନିଷ୍ପତ୍ତି ବୋଲି ମନେ କରାଯାଉଛି।ଶେଷରେ ଧନ୍ୟବାଦ ଜ୍ଞାପନ ସହିତ ବୈଠକର ସମାପନ ହୋଇଥିଲା।
