ମାଂସ-ଭାତ ଭୋଜି ନ ଦେଲେ ବାସନ୍ଦ ! — ଦୁଇ ନିର୍ଦୋଷ ଶିଶୁଙ୍କ ଉପରେ ସମାଜୀକ ନିୟମର ନିର୍ମମ ଭାର”
ଦେବଗଡ଼/ରିଆମାଳ :
ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ଏକ ଦୁଃଖଦ ଘଟଣା ପୁଣିଥରେ ସମାଜର ମାନବିକ ମୂଲ୍ୟବୋଧକୁ ପ୍ରଶ୍ନରେ ଫେଳାଇଛି। ଜୀବନର ଆରମ୍ଭରୁ ଦୁଃଖ ଓ ବିପର୍ଯ୍ୟୟ ସହ ଲଢ଼ୁଥିବା ଦୁଇ ନିର୍ଦୋଷ ଶିଶୁ ଏବେ ସମାଜୀକ ପାରମ୍ପରିକତାର କଠୋର ନିୟମ ମଧ୍ୟରେ ଆବଦ୍ଧ ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ପ୍ରାୟ ଆଠ ବର୍ଷ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ସେହି ଘାତରୁ ପରିବାର ମୁକ୍ତି ପାଇବା ପୂର୍ବରୁ, ଦୁଇ ବର୍ଷ ତଳେ ମାଆ ମଧ୍ୟ ନୂତନ ସଂସାର ଗଢ଼ିବା ପାଇଁ ଅନ୍ୟତ୍ର ପ୍ରସ୍ଥାନ କରିଥିଲେ। ଏହାର ପରିଣତିରେ, ଏହି ଦୁଇ ଶିଶୁ ପ୍ରାୟ ଅନାଥ ସଦୃଶ ଅବସ୍ଥାରେ ପହଞ୍ଚିଛନ୍ତି।
ବର୍ତ୍ତମାନ ସେମାନଙ୍କର ଏକମାତ୍ର ଆଶ୍ରୟ ହେଉଛନ୍ତି ବୃଦ୍ଧ ଅଜା ଓ ଆଈ। କିନ୍ତୁ ବୟସର ଭାର ସହିତ ଅର୍ଥନୈତିକ ସମସ୍ୟା ପରିବାରକୁ ଅତ୍ୟନ୍ତ ଦୁର୍ବଳ କରିଦେଇଛି। ଯେଉଁଠାରେ ଦିନକୁ ଦୁଇ ବେଳା ଭୋଜନ ଯୋଗାଡ଼ କରିବା ମଧ୍ୟ କଷ୍ଟକର, ସେଠାରେ ସମାଜର ପକ୍ଷରୁ ଆଉ ଗୋଟିଏ ଅସହ୍ୟ ଚାପ ତାଙ୍କ ଉପରେ ପଡ଼ିଛି।
ରିଆମାଳ ବ୍ଲକର ନୁଆଡିହ ପଞ୍ଚାୟତ ଅନ୍ତର୍ଗତ ମହାସିଦ୍ଧୁ ଆମ୍ବତଇଲା ଗ୍ରାମରେ ପ୍ରଚଳିତ ପାରମ୍ପରିକ ନିୟମ ଅନୁସାରେ, ଜାତି ଭାଇମାନଙ୍କୁ “ମାଂସ-ଭାତ ଭୋଜି” ଦେବା ଆବଶ୍ୟକ। ଏହା ନ କରିପାରିଲେ ସମାଜରୁ ବାସନ୍ଦ (ବହିଷ୍କାର) ହେବାର ଭୟ ରହିଛି। ଫଳସ୍ୱରୂପ, ଏହି ଦୁଇ ଅସହାୟ ଶିଶୁଙ୍କୁ ଆସନ୍ତାକାଲି ଏହି ଭୋଜର ବ୍ୟବସ୍ଥା କରିବାକୁ ବାଧ୍ୟ କରାଯାଇଛି।
ଏହି ଘଟଣା କେବଳ ଗୋଟିଏ ପରିବାରର ଦୁର୍ଦଶା ନୁହେଁ, ବରଂ ସମାଜରେ ପାରମ୍ପରିକତା ଓ ମାନବିକତା ମଧ୍ୟରେ ଥିବା ଗଭୀର ସଂଘର୍ଷକୁ ଉଜାଗର କରୁଛି। ଯେଉଁଠାରେ ଦୟା, ସହାନୁଭୂତି ଓ ସମର୍ଥନ ଦରକାର, ସେଠାରେ ନିୟମ ଓ ରୀତିନୀତିର କଠୋର ପ୍ରୟୋଗ ମଣିଷତ୍ୱକୁ ଅବମାନିତ କରୁଛି।
ପ୍ରଶ୍ନ ଉଠୁଛି — ସମାଜ କାହା ପାଇଁ? ନିୟମ ପାଇଁ, ନା କି ମଣିଷ ପାଇଁ?
ସ୍ଥାନୀୟ ମହଳରେ ଏହି ଘଟଣା ନେଇ ଚର୍ଚ୍ଚା ବଢ଼ିବା ସହ, ଅନେକ ସୁଚିନ୍ତିତ ମଣିଷ ଏହି ଦୁଇ ଶିଶୁଙ୍କ ପାଇଁ ସହାୟତା ଓ ସମର୍ଥନ ଆଗକୁ ଆସିବାକୁ ଆହ୍ୱାନ ଜଣାଇଛନ୍ତି।
ଯଦି ମାନବିକତା ନିୟମରେ ବାନ୍ଧି ଯାଏ, ତେବେ ସମାଜର ଅସ୍ତିତ୍ୱ ନିଜେ ପ୍ରଶ୍ନରେ ପଡ଼ିଯାଏ — ଏହି ଘଟଣା ଆମକୁ ସେହି କଠୋର ସତ୍ୟର ସ୍ମରଣ କରାଉଛି।
