*ଜିଲ୍ଲାପାଳଙ୍କୁ ଭେଟିଲେ ୫ ବ୍ଲକର ଅଧ୍ୟକ୍ଷା ଇଣ୍ଟରନେଟ୍, ପର୍ଯ୍ୟଟନ ଓ ଶିକ୍ଷା ସମେତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା; ଖାଲି ପଦବୀ ପୂରଣ ପାଇଁ ଦାବି*।
ନୂଆପଡା(ମିଖାଏଲ ନନ୍ଦ)
ତା-୨୩/୧୦
ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ନୂଆପଡ଼ାର ନୂତନ ଜିଲ୍ଲାପାଳ ଅନ୍ୟା ଦାସଙ୍କ ସହ ଆଲୋଚନା କରିଛନ୍ତି ପାଞ୍ଚଟି ବ୍ଲକର ଅଧ୍ୟକ୍ଷା। ଜିଲ୍ଲାର ମୌଳିକ ସମସ୍ୟାଠାରୁ ଆରମ୍ଭ କରି ଶିକ୍ଷା, ପର୍ଯ୍ୟଟନ ଓ ଭିତ୍ତିଭୂମିର ବିକାଶ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଥିଲା।
ବିଶେଷକରି ଜିଲ୍ଲାର ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବାର ଅଭାବ ଓ ଦୁର୍ବଳ ସଂଯୋଗ ଯୋଗୁଁ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଏବଂ ଆବଶ୍ୟକ ଭିତ୍ତିଭୂମିର ଉନ୍ନତି ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଅନ୍ୟପକ୍ଷରେ, ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗର କର୍ମଚାରୀ ପଦବୀ ଖାଲି ପଡ଼ିଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସମସ୍ୟାକୁ ଜିଲ୍ଲାପାଳଙ୍କ ନିକଟରେ ଉଠାଇଥିଲେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ। ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ସହ ବ୍ଲକର ବିକାଶମୂଳକ କାର୍ଯ୍ୟକୁ ଗତିଶୀଳ କରିବା ପାଇଁ ସେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।
ଏହି ଆଲୋଚନାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ଭାର, ବୋଡ଼େନ ବ୍ଲକ ଅଧ୍ୟକ୍ଷା ପ୍ରେମଶିଳା ନାଗ ଓ ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ ଉପସ୍ଥିତ ଥିଲେ। ଏଥିସହ ଖଡ଼ିଆଳ ବିଧାୟକଙ୍କ ପ୍ରତିନିଧି ଅକ୍ଷୟ ନନ୍ଦ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲେ।
ଜିଲ୍ଲାର ସାମଗ୍ରିକ ବିକାଶ ସହ ଜନସାଧାରଣଙ୍କ ସମସ୍ୟାର ସମାଧାନ ଦିଗରେ ଏହି ଆଲୋଚନା ଗୁରୁତ୍ୱ ବହନ କରୁଛି। ତେବେ ଆଲୋଚନାରେ ଉଠିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରଶାସନ କି ପଦକ୍ଷେପ ନେଉଛି ଏବଂ ଖାଲି ପଦବୀ ପୂରଣ ସହ ମୌଳିକ ସମସ୍ୟାଗୁଡ଼ିକର ସମାଧାନ କେବେ ହେଉଛି, ତାହା ଉପରେ ଏବେ ନଜର ରହିଛି।
